‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଥିବାବେଳେ ରିୟା ଦେ’ ଶ୍ରେଷ୍ଠ ଅଭିନେତ୍ରୀ ଓ ଆକାଶ ଦାସ ନାୟକ ଶ୍ରେଷ୍ଠ ଅଭିନେତା
‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ରବିବାର ପୁରୀରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି। ‘ମହାବାହୁ’ ଚଳଚ୍ଚିତ୍ର ପାଇଁ ଆକାଶ ଦାସ ନାୟକ ଶ୍ରେଷ୍ଠ ଅଭିନେତା ଏବଂ ‘ଶେଷ ରାତି’ ଚଳଚ୍ଚିତ୍ର ପାଇଁ ରିୟା ଦେ’ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ‘ରୁଦ୍ରାଣି’ ଚଳଚ୍ଚିତ୍ରର ସାୱନ୍ କୁମାର ନାଏକଙ୍କୁ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ନିର୍ଦେଶକ ଭାବେ ‘ଦମନ’ ଚଳଚ୍ଚିତ୍ରର ବିଶାଲ ମୌର୍ଯ୍ୟ ଏବଂ ଦେବୀପ୍ରସାଦ ଲେଙ୍କା ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ନବାଗତା ନାୟିକା ଭାବେ ‘ତିତ୍ଲି’ ଚଳଚ୍ଚିତ୍ରର ଦିବ୍ୟାସ୍ମିତା ମହାନ୍ତି ଏବଂ ଶ୍ରେଷ୍ଠ ନବାଗତ ନାୟକ ଭାବେ ‘କହିବିନି ତତେ ଆଇ ଲଭ ୟୁ’ ଚଳଚ୍ଚିତ୍ରର ଲୁବୁନ ସେନ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ସୁଶୀଲ ମିଶ୍ର ଏବଂ ‘ତୃଷ୍ଣା’ ଚଳଚ୍ଚିତ୍ରର ରବି ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ‘ଦମନ’ ଚଳଚ୍ଚିତ୍ରର ମନସ୍ବିନୀ ତାକ୍ରୀ ଓ ମିଷ୍ଟର କହ୍ନେୟା ଐଶ୍ବର୍ଯ୍ୟା ବେହେରାଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଛି ।
ପୁରୀ ପୌର ସଦନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ, ପୂର୍ବତନ ଜିଲାପାଳ ପଦ୍ମନାଭ ସାମଲ, ନାଲକୋ ବାଣିଜ୍ୟ ନିର୍ଦେଶକ ସଦାଶିବ ସାମନ୍ତରାୟ, ମହା ଡାକପାଳ ଶୁଭେନ୍ଦୁ ସ୍ୱାଇଁ ଏବଂ ଡା. ଶୁଭେନ୍ଦୁ ମହାନ୍ତି ଅତିଥିଭାବେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ସବୁସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ଅତିଥିମାନେ କହିଥିଲେ। ସମ୍ପାଦକ ଆଦିକନ୍ଦ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରେଷ୍ଠ କାହାଣୀକାରଭାବେ ରଞ୍ଜନ କୁମାର ଦାସ, ଶିଶୁ ପ୍ରତିଭା ଲିପାକ୍ଷୀ ଦାସ, ସଂଳାପକାର ଶରଣାରବିନ୍ଦ ଓଝା, ଚରିତ୍ର ଅଭିନେତାଭାବେ ‘ମାୟାଦର୍ପଣ’ର ଜୀବନ ପଣ୍ଡା, ଚରିତ୍ର ଅଭିନେତ୍ରୀଭାବେ ‘ବାଳୀ’ ଚଳଚ୍ଚିତ୍ରର ସ୍ମିତା ମହାନ୍ତି ପୁରସ୍କୃତ ହୋଇଛନ୍ତି। ଚିତ୍ର ଉତ୍ତୋଳନକାରୀ ‘ମାୟାବୀ’ ଚଳଚ୍ଚିତ୍ରର ଧ୍ରୁବାନନ୍ଦ ପଣ୍ଡା ଏବଂ ଚଳଚ୍ଚିତ୍ର ( କ୍ରିଟିକ) ‘ଶେଷ ରାତି’ ଚଳଚ୍ଚିତ୍ର ପୁରସ୍କୃତ ହୋଇଛି। ଏତଦ୍ବ୍ୟତୀତ ଶ୍ରେଷ୍ଠ ନିର୍ଦେଶକ ( କ୍ରିଟିକ୍) ଭାବେ ‘ଶେଷ ରାତି’ ଚଳଚ୍ଚିତ୍ରର ଅମରେଶ ପତିଙ୍କୁ ସମ୍ମାନିତ କରାଯାଇଛି। ଚଳଚ୍ଚିତ୍ର ସାମ୍ବାଦିକ ମନୋରଞ୍ଜନ ମହାନ୍ତି, ଗୀତିକାର ଚଳଚ୍ଚିତ୍ର ‘ଶେଷ ରାତି’ର ପୁଷ୍ପକ ପରିଡ଼ାଙ୍କୁ ପୁରସ୍କୃତ କରାଯାଇଛି। ସ୍ବତନ୍ତ୍ର ଜୁରି ପୁରସ୍କାର ଦେବାଶିଷ ପାତ୍ର ପାଇଛନ୍ତି।
ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକଭାବେ ‘ତୃଷ୍ଣା’ ଚଳଚ୍ଚିତ୍ରର ଅଭିଜିତ ମଜୁମଦାର, ପ୍ରଚ୍ଛଦପଟ୍ଟ ଗାୟକ ଭାବେ ‘ମହାବାହୁ’ ଚଳଚ୍ଚିତ୍ରର ଶ୍ରୀଚରଣ ମହାନ୍ତି, ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଚଳଚ୍ଚିତ୍ର ‘ତୁ ମୋର ଓକେ’ର ଶ୍ରେୟା ମିଶ୍ର ସମ୍ମାନିତ ହୋଇଛନ୍ତି। ଚଳଚ୍ଚିତ୍ର ‘ଶେଷ ରାତି’ର ଖଳନାୟକ ବୀରେନ ମିଶ୍ର, କଳା ନିର୍ଦେଶକ ଭାବେ ‘ତୃଷ୍ଣା’ ଚଳଚ୍ଚିତ୍ରର ନବଘନ ଦଳାଇ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ଧାରାବାହିକ ନାୟକ ଭାବେ ‘ଝିଲି’ର ଅମର ଛିଞ୍ଚାନି, ନାୟିକା ଭାବେ ‘ଅପରାଜିତା’ର ଶୁଭଶ୍ରୀ ଜେନା, ଧାରାବାହିକ ପାର୍ଶ୍ୱ ଅଭିନେତା ଭାବେ ସନ୍ଦୀପ ମିଶ୍ର ଓ ପାର୍ଶ୍ବ ଅଭିନେତ୍ରୀ ସୁଜାତା ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରେଷ୍ଠ ଗୀତିକାର ଭାବେ ବସନ୍ତରାଜ ସାମଲ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଚିତ୍ର ଉତ୍ତୋଳନକାରୀ ସ୍ମୃତି ଆର୍, ଅଭିନେତା ରାଜ ରାଜେଶ, ଅଭିନେତ୍ରୀ ଶୁଭଶ୍ରୀ ଜେନା, ପ୍ରଯୋଜକ ଭାବେ ସିଦ୍ଧାର୍ଥ ମ୍ୟୁଜିକକୁ ପୁରସ୍କୃତ କରାଯାଇଛି। ସଂଳାପକାର ବିଜୟ ମଲ୍ଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।