ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୦୧ତମ ଉତ୍କଳ ଆଗମନୀର ସ୍ମୃତି ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ପୁରୀର ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଛନ୍ତି।
ଏଥିରେ ମହୋତ୍ସବ କମିଟିର ଆବାହକ ଡକ୍ଟର ବିନାୟକ ମହାପାତ୍ର, ନୃସିଂହ ତ୍ରିପାଠୀ , ଯତୀନ ମହାନ୍ତି ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିରେ ସାରା ରାଜ୍ୟରୁ ୭୦ ହଜାରରୁ ଅଧିକ ଅନୁଗାମୀ ଯୋଗ ଦେଇଛନ୍ତି।
ଜୟ ଜଗନ୍ନାଥ ଓ ଜୟଗୁରୁ ବୋଲି ପ୍ରଥମେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମହୋତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସମାଜସେବାରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ନିଜର ଜୀବନ ଅର୍ପଣ କରିଥିଲେ। ସୁଖୀ ଓ ସୁନ୍ଦର ଓଡ଼ିଶା ଗଠନ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଏଣେ ଦେବୀ ପ୍ରସାଦ ମିଶ୍ର ଉଦବୋଧନ ଦେଇ ନେତାଜୀଙ୍କ ପିତା ଜାନକୀନାଥ ବୋଷ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ପୁରୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ତାଙ୍କର ଆଗ୍ରହକ୍ରମେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପୁରୀ ଆସିଥିଲେ। ଆଜି ଏକବିଂଶ ଶତାବ୍ଦୀରେ ବି ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବାଣୀ ସମସ୍ତଙ୍କୁ ପ୍ରଭାବିତ କରୁଛି। ଭଲ ମଣିଷ ତିଆରି ଲାଗି ଶ୍ରୀଶ୍ରୀ ଠାକୁରଙ୍କ ବାଣୀ ପ୍ରେରଣାଦାୟୀ ହୋଇ ରହିଛି।
ଦିନ ୧୧ଟା ୨୫ରେ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସାଢ଼େ ୧୧ ଟାରେ ସଭାସ୍ଥଳରେ ପହଞ୍ଚି ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି ।
ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁୟାରୀ ମାସର ଦ୍ୱିତୀୟ ରବିବାର ପୁରୀଠାରେ ଶ୍ରୀଶ୍ରୀ ଠାକୁରଙ୍କ ଉତ୍କଳ ଆଗମନୀ ଉତ୍ସବ ପାଳନ କରାଯାଏ। ସତସଙ୍ଗ ସହ ଜଡ଼ିତ ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇଥାନ୍ତି ।