ଏଥର ଜମିବ ଖଣ୍ଡଗିରି ମାଘମେଳା; ଜାନୁଆରୀ ୨୮ ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ସମାଗମ
ଦୀର୍ଘ ୨ ବର୍ଷ ପରେ ଏଥର ଜମିବ ଖଣ୍ଡଗିରି ମାଘମେଳା। ପାହାଡ ଉପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ବିଶ୍ବଶାନ୍ତି ଯଜ୍ଞ ସହ ପାହାଡ ତଳେ ରାଜ୍ୟର ବିଭିନ୍ନ ଯାତ୍ରା ଅନୁଷ୍ଠାନ ପକ୍ଷରୁ ପରିବେଷଣ ହେବ ଏବର୍ଷର ନୂଆ ନୂଆ ନାଟକ। ଏଥି ସହିତ ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି ମାଘମେଳାରେ ଅଢେଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ ପଡିବ।
ଲୋକମାନେ ଗତ ଦୁଇବର୍ଷ ଧରି ମେଳାକୁ ଉପଭୋଗ କରିପାରିନଥିବା ବେଳେ ଚଳିତ ବର୍ଷ ମନଭରି ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀମାନ କିଣାକିଣି କରିପାରିବେ।
ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ବହୁଲୋକ ସମାଗମ ହେବାକୁ ଥିବା କାରଣରୁ ଭୁବନେଶ୍ବର ମାହାନଗର ନିଗମ(ବିଏମସି) ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି। ଜାନୁଆରୀ ୨୮ ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘମେଳା। ଏନେଇ ଆଜି ବିଏମସି ପ୍ରସ୍ତୁତି ବୈଠକ ଡାକିଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପୂଜା କମିଟି, କମିଶନରେଟ ପୁଲିସ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଯାତ୍ରା କମିଟି ସଦସ୍ୟ, ପାନୀୟ ଜଳ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଶୃଙ୍ଖଳିତ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ନିଆଯାଇଛି।
ଲୋକମାନଙ୍କ ସମାଗମକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏବର୍ଷ ଅଢେଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ ପଡିବ। ସବୁ ବ୍ୟବସାୟୀ ଏବଂ ଯାତ୍ରା କମିଟି ବିଏମସି ଏବଂ ପୁଲିସ, ଅଗ୍ନିଶମ ବିଭାଗ ଠାରୁ ଅନୁମତି ନେବେ। ସାନିଟେସନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକମାନଙ୍କ ପାଇଁ ୪ଟି ମୋବାଇଲ୍ ଟଏଲେଟ୍ ରହିବ। ଏଥି ସହିତ ମେଳାରେ ପ୍ଳାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ରହିଛି। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତାୟନ ହେବା ସହ ପ୍ରତିଦିନ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମେଳାରେ ପଡିଥିବା ଷ୍ଟଲ ଗୁଡିକରୁ ଖାଦ୍ୟର ମାନ ଯାଞ୍ଚ କରିବେ। ଚଳିତ ଥର ଅଧିକ ଲୋକ ସମାଗମ ହେବାର ରହିଥିବାରୁ ବିଏମସି ପକ୍ଷରୁ ଅଧିକ ସ୍ବେଚ୍ଛାସେବୀ ନିଯୁକ୍ତି ପାଇଁ କମିଟି ମାନଙ୍କୁ ସୁପାରିଶ କରାଯାଇଛି।