ଉମରେକୋଟରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁରର ଉମରେକୋଟ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ର ସରକାର ଅନୁସୂଚିଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ବୃତ୍ତି ଟଙ୍କା ବାବଦ ଅନୁଦାନ କମାଇ ଦେଇ ଥିବାରୁ ନବୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ମାତ୍ର କେବିକେ ଏରିଆର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଅର୍ଥ ବହନ କରିବେ । ଏଥିସହିତ କାଳିଆ ଯୋଜନା ଦ୍ୱାରା ଚାଷୀଙ୍କ ପିଲାମାନେ ବୃତ୍ତି ପାଇପାରିବେ ବୋଲି ନବୀନ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧ ଶହ କୋଟି ଟଙ୍କାରେ ର୍ନିମିତ ୩୧ଟି ପ୍ରକଳ୍ପ ଉଦ୍ଘାଟନ କରିବା ସହ ୭୪୮ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ୯୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଲମତାପୁଟର ସିନ୍ଧିପୁଟ ବ୍ରିଜ, ମୁରାନ ଡ୍ୟାମର ଦଶମନ୍ତପୁର ବ୍ରିଜ ଏବଂ ସୁକୁ ବ୍ରିଜ୍ର ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବଳେ ଜିଲ୍ଲା ଏସ୍ପି କନଓ୍ବର ବିଶାଳ ସିଂଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଅତିରିକ୍ତ ଏସ୍ପି ଭିଆର୍ ରାଓ, ଜୟପୁର ଏସ୍ଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସୁରକ୍ଷା ଦାୟିତ୍ୱରେ ୨ ଏଏସ୍ପିସ୍ତରର ଅଧିକାରୀ, ୮ ଡିଏସ୍ପି, ୧୮ ଇନ୍ସପେକ୍ଟର, ୪୦ ଏସ୍ଆଇ, ୫୬ ଏଏସ୍ଆଇ, ଗୋଟିଏ ୟୁନିଟ ଡିଭିଏଫ ସହ ୧୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।