ବଡଦିନରେ କାହିଁକି ସଜାଯାଏ କ୍ରିସମାସ ଟ୍ରି’ ?

0

ବଡ଼ଦିନରେ କ୍ରିସମାସ ଟ୍ରି’ର ରହିଛି ଅନେକ ମହତ୍ତ୍ୱ । ଏହାବିନା କ୍ରିସମାସ ଅଧୁରା ବୋଲି କୁହାଯାଏ ।

କଣ ଏହି କ୍ରିସମାସ ଟ୍ରି’: କ୍ରିସମାସ ଟ୍ରି ବା ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା ।

ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍‍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ।

ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍‍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସମାସ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।

ପାରମ୍ପରିକ ଭାବେ କ୍ରିସମାସ ଗଛକୁ କାଗଜର ଗୋଲାପ ଫୁଲ, ସେଓ ଫଳ, ୱେଫର୍, ଚକମକିଆ ଝରା ବା ଝାଲେରୀ ଓ ମିଷ୍ଟାନ୍ନ ଇତ୍ୟାଦି ଦ୍ୱାରା ସଜାଇବାର ପ୍ରଥା ରହିଛି । ଅଷ୍ଟଦଶ ଶତାବ୍ଦୀରେ କ୍ରିସମାସ ଗଛକୁ ମହମବତୀ ଓ ଦୀପର ଆଲୋକମାଳାରେ ଏବଂ ଅଧୁନା ବିଦ୍ୟୁତ୍ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି ।

Leave a comment