ବିହାରରେ ମଦମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି; ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି

0

ବିହାରର ଶରଣ ଜିଲ୍ଲାରେ ଘଟିଥିବା ମଦମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।

ମସରଖ ବ୍ଲକରେ ସର୍ବାଧିକ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ଇସୁପୁର, ଅମ୍ନାଉର ଏବଂ ମାରହଉରା ଅଂଚଳର ବୋଲି ଜଣାପଡିଛି। ସଦ୍ୟତମ ସମ୍ବାଦ ଅନୁଯାୟୀ, ୧୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କିଛି ଲୋକ ମଧ୍ୟ ଦୃଷ୍ଟି ଶକ୍ତି ହରାଇଛନ୍ତି।

ଶରଣ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନା କହିଛନ୍ତି ଯେ ଚୋରା ମଦ କାରବାରରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଶ୍ରୀ ମୀନା କହିଛନ୍ତି ଯେ ୩୦ ଜଣଙ୍କୁ ପଚରାଉଚରା ପାଇଁ ପୁଲିସ ହେପାଜତକୁ ନିଆଯାଇଛି। ଇତି ମଧ୍ୟରେ ପଦକ୍ଷେପ ସ୍ୱରୂପ ମସରଖ ପୁଲିସ ଷ୍ଟେସନର ଏସଏଚଓ ଏବଂ ଚୌକିଦାରକୁ ନିଲମ୍ବନ କରାଯାଇଛି |

ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁଶୀଲ କୁମାର ମୋଦୀ ଅଭିଯୋଗ କରିଛନ୍ତି ଯେ ନିଷେଧାଦେଶ ପରେ ମଦ୍ୟପାନ ଯୋଗୁଁ ରାଜ୍ୟରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣା ନେଇ ବିହାର ବିଧାନସଭା ଆଜି ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଅଭିଯୋଗ କରିଛନ୍ତି ଯେ ଗୃହରେ ବିରୋଧୀଦଳର ନେତାଙ୍କ ସ୍ୱରକୁ ଚାପି ଦିଆଯାଉଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ମଦ ନିଷେଧାଦେଶରେ ବିରୋଧୀ ଦଳ ସହଯୋଗ କରୁନାହାଁନ୍ତି। ଶ୍ରୀ କୁମାର କହିଛନ୍ତି ଯେ ଚୋରା ମଦ ତିଆରି ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ।

Leave a comment