ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍; ବଡ ବଡ ଗଛ ପଡିବ ସହ ଜାରି ରହିଛି ବର୍ଷା
ବିଳମ୍ବିତ ରାତିରେ ଚେନ୍ନାଇ ନିକଟ ମାଲାପୁରମ ନିକଟରେ ଲାଣ୍ଡଫଲ କରିଛି ସାମୁଦ୍ରିକ ଝଡ ମାଣ୍ଡୋସ୍ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ମାଣ୍ଡୋସ୍ ପ୍ରଭାବରେ ଘଂଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବୋହୁଛି ।
୩ ଘଂଟା ଭିତରେ ୬୫ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିିତି ଦେଖାଦେଇଛି । ସାମୁଦ୍ରିକ ଝଡ ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେପଟେ ଉତ୍ତର ତାମିଲନାଡୁ ଓ ଦକ୍ଷିଣଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡିକରେ ମୂଷଳାଧାର ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଆଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।