ସୁରଟରେ ପ୍ରବାସୀ ଓଡ଼ିଆ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ, ଅଭିଯୁକ୍ତଙ୍କୁ ଧରି ଉଚିତ ଦଣ୍ଡ ଦେବା ଦାବିରେ ଆନ୍ଦୋଳନ

0

ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଗୁଜରାଟର ସୁରଟ ସହରରେ ଦେଖିବାକୁ ମିଳିଛି। ଜଣେ ପ୍ରବାସୀ ଓଡ଼ିଆ ଝିଅ କୁ ଏଭଳି ବଳାତ୍କାର ଓ ହତ୍ୟା ଘଟଣା ଜଣାପଡ଼ିବା ପରେ ପ୍ରବାସୀ ଓଡିଆମାନେ ସଂଗଠିତ ହୋଇ ସାରା ସୁରଟରେ ଜୋରଦାର ଆନ୍ଦୋଳନ ଚଳାଇ ଥିବା ସୂଚନା ମିଳିଛି।

ଗୁରୁବାର ଦିନ ତମାମ ସୁରଟ ସହରରେ ପ୍ରବାସୀ ଓଡିଆଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସୁରଟ ବେଡ ରୋଡରେ ରାସ୍ତାରୋକ ଆନ୍ଦୋଳନ ଚାଲିଛି । ହତ୍ୟାକାରୀକୁ ଧରିବା ପାଇଁ ଚାଲିଛି ରାସ୍ତାରୋକ । ମୃତ ନାବାଳିକାଙ୍କ ଘର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରେ ହୋଇଥିବା ସୂଚନା ମିଳିଛି ।

ସୁରଟରେ ସୂତାକଳରେ କାମ କରିବାକୁ ନାବାଳିକାଙ୍କ ପରିବାର ବହୁ ଦିନରୁ ସୁରଟରେ ରହି ଆସୁଛନ୍ତି। ପରିବାର ଲୋକମାନେ କାମ ଧନ୍ଦା ପାଇଁ ଘରୁ ବାହାରି ଯିବା ପରେ ସୁରଟର ଜଣେ ଯୁବକ ଘରେ ଏକା ଥିବା ନାବାଳିକାକୁ ବଳାତ୍କାର କରିଥିଲେ। ପରେ ଧରାପଡିବା ଭୟରେ ପ୍ରମାଣ ନଷ୍ଟ କରିବାକୁ ତାକୁ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର ଲୋକମାନେ। ଅଭିଯୁକ୍ତ ଙ୍କୁ ଧରି ତାକୁ ତୁରନ୍ତ ଜେଲ୍ ପଠାଇବା ଓ ତୁରନ୍ତ କୋର୍ଟ ରେ ନ୍ୟାୟ ପ୍ରଦାନ କରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ପ୍ରବାସୀ ଓଡ଼ିଆମାନେ ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ସୁରଟ ବେଡ ରୋଡରେ ପ୍ରବାସୀ ଓଡିଆମାନେ ଅଭିଯୁକ୍ତ ଙ୍କୁ ଧରିବା ଦାବିରେ ରାସ୍ତା ଉପରେ ବସି ରହିଥିବା ଜଣାପଡିଛି। ସୁରଟ ପୁଲିସ ଆନ୍ଦୋଳନରତ ପ୍ରବାସୀ ଓଡ଼ିଆଙ୍କୁ ବୁଝାଇବାକୁ ଚେଷ୍ଟା କରି ଥିଲେ ମଧ୍ୟ ଆନ୍ଦୋଳନ ଚାଲୁ ରହିଥିବା ସୂଚନା ମିଳିଛି।

Leave a comment