ପଦ୍ମପୁର ନିର୍ବାଚନ; ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଢ଼ିଲା ଦୋଛକିରେ ବିଜେପି ନେତା ରମାରଞ୍ଜନ

0

ପଦ୍ମପୁର ନିର୍ବାଚନ ପାଇଁ ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଆଜି ବିଜେଡି ତାର ପ୍ରାର୍ଥୀ ନାଁକୁ ଘୋଷଣା କରିଛି। ଯାହା ଫଳରେ ପଦ୍ମପୁର ନିର୍ବାଚନରେ ରୋଚକ ମୋଡ ଦେଖିବାକୁ ମିଳିଛି ।

ଆଜି ବିଜେପି ପରିବାରର ବୋହୁକୁ ମିଳିଛି ବିଜେଡି ଟିକେଟ୍ । ଯେ ହେଉଛନ୍ତି ଦିବଙ୍ଗତ ବିଧାୟକ ତଥା ପଦ୍ମପୁରର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ଏବଂ ବିଜେପି ନେତା ରମାରଞ୍ଜନ ବଳିୟାରସିଂହଙ୍କ ବୋହୁ ।

ତେବେ ଟିକେଟ୍ ଘୋଷଣା ପରେ ପଦ୍ମପୁର ଉପ ନିର୍ବାଚନ ରମା ରଞ୍ଜନ ବଳିୟାରସିଂହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସେ କାହାକୁ ସମର୍ଥନ କରିବେ ? କାହା ପାଇଁ ଲଢିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ପଟେ ତାଙ୍କ ଦଳ ଥିବାବେଳେ, ଅନ୍ୟପଟେ ରହିଛନ୍ତି ନିଜର ବୋହୁ ତଥା ବିଜେଡି ପ୍ରାର୍ଥୀ ।

ତେବେ ବୋହୁକୁ ବିଜେଡି ଟିକେଟ୍ ମିଳିବା ପ୍ରସଙ୍ଗକୁ ନେଇ ବିଜେପି ନେତା ରମାରଞ୍ଜନ ବଳିୟାରସିଂହ କହିଛନ୍ତି, ଦଳର ଜଣେ ଶୃଙ୍ଖଳିତ କର୍ମୀ । ତେଣୁ ଦଳ ଆଗ, ନା ବୋହୁ ଆଗ ଭଳି ପ୍ରଶ୍ନର କୌଣସି ଆବଶ୍ୟକତା ନାହିଁ । ହେଲେ ସେ କାହାକୁ ସମର୍ଥନ ଜଣାଇବେ ତାର ଉତ୍ତର କିନ୍ତୁ ରଖିନଥିଲେ । ଯାହା ପଦ୍ମପୁର ଉପ ନିର୍ବାଚନକୁ ଆହୁରି ରୋଚକ କରିଦେଇଛି ।

ଏପଟେ ବିଜେଡି ଟିକେଟ୍ ମିଳିବା ପରେ ବର୍ଷା ସିଂ କହିଛନ୍ତି, “ଉଭୟ ବାପଘର ଓ ଶ୍ୱଶୁର ଘର ଲୋକଙ୍କ ସହ ଆଲୋଚନା କରି ମୁଁ ନିର୍ବାଚନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛି । ବିଜେଡି ଟିକେଟ୍ ମିଳିବା ପରେ ଦୁଇ ପରିବାର ଖୁସି ଅଛନ୍ତି ।” ତେବେ ରମାରଞ୍ଜନ କାହାକୁ ସମର୍ଥନ ଜଣାଇବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

Leave a comment