ସରିଲା ମତଦାନ; ଇଭିଏମରେ ସିଲ ହେଲା ୪ ପ୍ରାର୍ଥୀଙ୍କ ଭାଗ୍ୟ, କିଏ ମରିବ ବାଜି ଦେଖିବା ବାକି ରହିଲା
କଡା ସୁରକ୍ଷା ମଧ୍ୟରେ ସରିଛି ଧାମନଗର ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ପଞ୍ଚାୟତରେ ମତଦାନ କରିଥିବାବେଳେ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନଏସିରେ ଭୋଟ ଦେଇଛନ୍ତି ।
ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ଗାଁ କାଁପଡାରେ ଭୋଟ ଦେଇଛନ୍ତି । ମାତ୍ର ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, କିନ୍ତୁ ସେ ବିଭିନ୍ନ ବୁଥ ବୁଲିଛନ୍ତି ।
ସନ୍ଧ୍ୟା ଯାଏଁ ବିଭିନ୍ନ ବୁଥରେ ଲୋକେ ଧାଡିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପରେ ମଧ୍ୟ କିଛି ବୁଥରେ ଭୋଟ ଗ୍ରହଣ ଚାଲିଥିଲା । ସନ୍ଧ୍ୟା ୬ଟା ପରେ ବୁଥକୁ ପ୍ରବେଶ କରିଥିବା ଲୋକଙ୍କୁ ସ୍ଲିପ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗତ ସାଧାରଣ ନିର୍ବାଚନରୁ ଚଳିତ ଉପନିର୍ବାଚନରେ ଅଧିକ ମତଦାନ ହୋଇଥିବା ସେ ସୂଚନା ଦେଇଛନ୍ତି । କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ୭୧.୦୧ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଉପ ନିର୍ବାଚନରେ ଏହାଠୁ ଅଧିକ କିମ୍ବା ପାଖପାଖ ଭୋଟିଂ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବିଶୃଙ୍ଖଳାକୁ ଛାଡି ଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ଏବେ ୬ ତାରିଖରେ ଗଣତି ହେବାକୁ ଥିବା ନିର୍ବାଚନ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ।