ପାଚେରୀ ଭାଙ୍ଗି ସେବାଶ୍ରମରେ ପଶିଲେ ୨୨ ହାତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ବଢୁଛି ହାତୀଙ୍କ ଦୌରାତ୍ମ୍ୟ । ଗାଁ ଗଣ୍ଡାରେ ପସି ଘର ଭାଙ୍ଗିବା ଫସଲ ନଷ୍ଟ କରିବା ଘଟଣା ପ୍ରାୟ ସବୁଦିନ ଘଟୁଥିବା ବେଳେ ଏକ ସେବାଶ୍ରମରେ ପଶି ଭଙ୍ଗା ରୁଜା କରିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରିଛନ୍ତି । ତେବେ ଅନ୍ତେବାସୀଙ୍କ ମଧ୍ୟରୁ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ବିଶ୍ୱବନ୍ଧୁ ସେବାଶ୍ରମରେ ଏହି ଘଟଣା ଘଟିଛି । ହାତୀ ପଲ ଆଶ୍ରମରେ ପଶି ଭଙ୍ଗାରୁଜା କରିବା ସହିତ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଛନ୍ତି । ସୋମବାର ରାତି ପ୍ରାୟ ସାଢ଼େ ତିନିଟା ସମୟରେ ଏହି ହାତୀପଲ ପାଚେରି ଭାଙ୍ଗି ସେବାଶ୍ରମ ଭିତରେ ପଶିଥିଲେ । ହାତୀପଲରେ ୨୨ଟି ହାତୀ ଥିଲେ । ହାତୀମାନେ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗି ଦେଇଥିବା ବେଳେ ରୋଷେଇ ଘର କାନ୍ଥ ଭାଙ୍ଗି ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଖାଇ ଦେଇଛନ୍ତି । କିନ୍ତୁ ଅନ୍ତେବାସୀଙ୍କର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି । ଖବରପାଇ ବିଡିଓ,  ତହସିଲଦାର, ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଏହି ହାତୀ ପଲ କରଞ୍ଜି‌ଆ ରେଞ୍ଜରୁ ଆସି ସେବାଶ୍ରମରେ ପଶିଥିଲେ ।କ୍ଷୟକ୍ଷତିର ଆକଳନ କରି ତହସିଲଦାର ରିପୋର୍ଟ ଦେଲେ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ ।

Leave a comment