ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଥଇଥାନ ଯୋଜନାରୁ ବାଦ ପଡିବେ ନାହିଁ ବିବାହିତା ମହିଳା
ବିବାହ କରିଥିବା କାରଣରୁ ଜଣେ ପ୍ରାର୍ଥୀ ଥଇଥାନ ଯୋଜନାରେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ । ବିବାହିତ ହେବା ଏକ ଅଯୋଗ୍ୟତାର ପ୍ରମାଣପତ୍ର ନୁହଁ । ତେଣୁ ଜଣେ ଝିଅ ଯଦି ବିବାହ କରିଥାନ୍ତି, ସେହି କାରଣ ପାଇଁ ତାଙ୍କୁ ଥଇଥାନ ଯୋଜନାରୁ ବାଦ୍ ଦେଇହେବ ନାହିଁ ବୋଲି ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।
ବାସନ୍ତୀ ନାୟକଙ୍କ ପକ୍ଷରୁ ଆଗତ ମାମଲାରେ ବିଚାରପତି ଜଷ୍ଟିସ୍ ଏସ୍.କେ ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।
ଆବେଦନକାରିଣୀଙ୍କ ବାପା ଭଦ୍ରକ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ୨୦୦୧ ଫେବ୍ରୁଆରୀ ୨୩ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପତ୍ନୀ ଓ ଦୁଇ ଝିଅ ଅସହାୟ ହୋଇଯାଇଥିଲେ । ଆବେଦନକାରିଣୀ ବାସନ୍ତୀ ମୃତ ଶିକ୍ଷକଙ୍କ ବଡ଼ ଝିଅ ହୋଇଥିବାରୁ ଥଇଥାନ ଯୋଜନାରେ ତାଙ୍କୁ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଆବେଦନ କରିଥିଲେ । ମାତ୍ର ଆବେଦନକାରିଣୀ ବିବାହ କରିସାରିଥିବାରୁ ତାଙ୍କ ଆବେଦନକୁ ଜିଲ୍ଲା ଶିକ୍ଷାଧିକାରୀ ନାକଚ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରିଣୀ ଶ୍ରୀମତୀ ନାୟକ ପ୍ରଥମେ ସ୍ୟାଟ୍ଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସ୍ୟାଟ୍ ଉକ୍ତ ମାମଲାର ଶୁଣାଣି କରି ଆବେଦନକାରିଣୀଙ୍କ ସ୍ମାରକପତ୍ରକୁ ବିଚାରକୁ ନେଇ ପଦକ୍ଷେପ ନେବାକୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୨୦୦୮ ମସିହାରେ ଜିଲ୍ଲା ଶିକ୍ଷାଧିକାରୀ ଆବେଦନକାରିଣୀଙ୍କ ଆବେଦନକୁ ପୁଣି ଥରେ ଖାରଜ କରିଥିଲେ । ଏହା ବିରୋଧରେ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଶିକ୍ଷାଧିକାରୀଙ୍କ ଆଦେଶକୁ ରଦ୍ଦ କରିବା ସହିତ ଆବେଦନକାରିଣୀଙ୍କ ଆବେଦନ ଉପରେ ସାନି ବିଚାର କରି ଆଇନ ମୁତାବକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାର ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଆବେଦନକାରିଣୀଙ୍କ ବାପା ୨୦୦୧ ମସିହାରୁ ମୃତ୍ୟୁବରଣ କରିବା ଓ ତାଙ୍କ ଆବେଦନ ୨୦୦୮ରୁ ବାତିଲ ହେଉଥିବା କଥାକୁ ସ୍ମରଣକୁ ନେଇ ନିଷ୍ପତ୍ତି ଶୁଣାଇବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।