୧୮ରେ ଓଡିଶା ଗସ୍ତରେ ଆସିବେ ବଡ଼ ବଡ଼ ଦେଶର ରାଷ୍ଟ୍ରଦୂତ; ଶିଳ୍ପାୟନ ନେଇ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାକୁ ଶିଳ୍ପାୟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦ୍ୟମ ଜାରି ରଖିଛନ୍ତି। ବଡ଼ ବଡ଼ ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି।
ଏହାପରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ସୁଇଜଲାଣ୍ଡ, ଫ୍ରାନ୍ସ, ୟୁଏଇ, ଗୁଆଟେମାଲାର ରାଷ୍ଟ୍ରଦୂତ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ଏହାଦ୍ୱାରା ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ଏକ ବଡ଼ ବାଟ ଫିଟିବା ନେଇ ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ରୋଡ ଶୋ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି।