ଲୋକାର୍ପିତ ହେଲା ନେତାଜୀ ସଂଗ୍ରହାଳୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ୩ ବର୍ଷ ପରେ ଅଦାଲତି ବିବାଦରୁ ମୁକୁଳି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ପୁରୀ ଗୋପାଳବଲ୍ଲଭ ରୋଡସ୍ଥିତ ନେତାଜୀ ସଂଗ୍ରହାଳୟ। ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । ନେତାଜୀ ସଂଗ୍ରହାଳୟର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩କୋଟି ୯୬ ଲକ୍ଷ ଟଙ୍କା ସଂସ୍କୃତି ବିଭାଗକୁ ପ୍ରଦାନ କରାଯାଇଥିଲା । ଇନ୍ଟାକ ସଂଗ୍ରହାଳୟ କାମ କରୁଥିବା ବେଳେ ୨୦୧୫ କାମ ଶେଷ ହୋଇଥିଲା । ଆଇନଗତ ବିବାଦ ଯୋଗୁ ହାଇକୋର୍ଟରେ ମାମଲା ଚାଲିଥିବାରୁ ଏହା ଉଦ୍ଘାଟନ ହୋଇପାରୁ ନ ଥିଲା । ବିବାଦର ପରିସମାପ୍ତି ପରେ ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଆମ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମନ୍ତ୍ରୀ ମହାନ୍ତି କହିଥିଲେ । ମୁଖ୍ୟଅତିଥି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ବହୁ ପ୍ରତୀକ୍ଷିତ ନେତାଜୀ ସଂଗ୍ରହାଳୟ ଆନୁଷ୍ଠାନିକ ଭାବେ ଦେଶବାସୀଙ୍କୁ ଉତ୍ସର୍ଗ କରାଗଲା । ନେତାଜୀଙ୍କ ସ୍ମୃତିବହନ କରୁଥିବା ଏହି ସଂଗ୍ରହାଳୟ ଖୋଲିବା ନିଶ୍ଚିତ ରାଜ୍ୟବାସୀଙ୍କ ପାଇଁ ଖୁସିର କଥା । ବିଶେଷକରି ପୁରୀ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ସଫଳ ଫର୍ଦ୍ଦ ଯୋଡି ହୋଇଗଲା ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି । ଲୋକାର୍ପଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ ସମେତ ସହରର ବହୁ ସାହିତି୍ୟକ, ଗବେଷକ, ସଂସ୍କୃତିପ୍ରେମୀ ଏବଂ ବୁଦ୍ଧିଜୀବୀ ଯୋଗଦେଇଥିଲେ।