ଶିଶୁ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

0

ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଦୀର୍ଘ ୨୨ ବର୍ଷ ଶାସନ ଗାଦିରେ ରହି ମଧ୍ୟ ଶାସକ ବିଜୁ ଜନତା ଦଳ ଓଡିଶାବାସୀଙ୍କୁ ମୈାଳିକ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ଚିକିତ୍ସାରୁ ବଂଚିତ କରିଛନ୍ତି ।

ପ୍ରାକୃତିକ ଓ ଖଣିଜ ସଂପଦ ଭରପୁର ଓଡିଶା ରାଜ୍ୟରେ କୁପୋଷଣ କାରଣରୁ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଲଜ୍ଜାଜନକ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପିଏମ୍ ପୋଷଣ ଯୋଜନା ଜରିଆରେ ଦେଶରେ କୁପୋଷଣକୁ ପ୍ରତିହିତ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଏଥି ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ପଠାଉଛନ୍ତି । କିନ୍ତୁ ରାଜ୍ୟ ସରକାର ତାହା ଚଳୁ କରି ଲୋକଙ୍କୁ କଷ୍ଟ ଓ ଦୁର୍ଦ୍ଦଶାରେ ଦେବାରେ ପଛାଉ ନାହାନ୍ତି ।

ପିଏମ ପୋଷଣ ଯୋଜନାରେ ଆବଶ୍ୟକୀୟ କାଗଜପତ୍ର (ତଥ୍ୟ ଓ ବିସ୍ତୃତ ବିବରଣୀ) ଦେଇନଥିବାରୁ ଅର୍ଥ ରିଲିଜ୍ ହେବାରେ ବିଳମ୍ବ ହୋଇଛି । ଗତ ୧୮ ଜୁଲାଇରେ ରାଜ୍ୟ ସରକାର ପ୍ରଥମ କିସ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ଆବଶ୍ୟକୀୟ ତଥ୍ୟ ରିପୋର୍ଟରେ ପ୍ରକାଶ ନଥିଲା । ସିଙ୍ଗଲ ନୋଡାଲ ଏଜେନ୍ସୀ ଆକାଂଉଟ ଓ ଇମ୍ପ୍ଲିମେଟିଙ୍ଗ ଏଜେନ୍ସୀର ମ୍ୟାପିଂ ହୋଇନଥିଲା । ଚିହ୍ନଟ ହୋଇଥିବା ୩୪୪ ଏଜେନ୍ସି ମଧ୍ୟରୁ ଓଡିଶା ସରକାର ମାତ୍ର ୩୧ଟି ଇମ୍ପ୍ଲିମେଟିଙ୍ଗ ଏଜେନ୍ସିର ମ୍ୟାପିଙ୍ଗ କରିଥିଲେ । ଗାଇଡଲାଇନ ପାଳନ ନକରିଥିବାରୁ ବିଳମ୍ବରେ ‘ପୋଷଣ ଯୋଜନା’ ଅର୍ଥ ପାଇଛି ଓଡିଶା ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମାଝୀ କହିଛନ୍ତି ଯେ, ଗତ ୧୮ତାରିଖ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୁପୋଷଣ ଅଭାବରୁ ୪ଜଣ ଶିଶୁଙ୍କ ପ୍ରାଣ ଯାଇଛି । କେନ୍ଦୁଝର ଜିଲ୍ଲା ଓଏମସି ସୋୟାକାଠି ଅଂଚଳରେ ଅନେକ ଶିଶୁ କୁପୋଷଣ ଓ ଅପପୃଷ୍ଟିରେ ଶିକାର ହେଉଛନ୍ତି । ବର୍ଷେ ପୂର୍ବରୁ ଏଭଳି ଏକ ପ୍ରସଙ୍ଗରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇବା ସତ୍ୱେ ବରଦାପା ଗାଁର ରୁଗୁଣୀଖାଇ ଅଂଚଳକୁ ଯାଇ ଜିଲ୍ଲାପାଳ କିମ୍ବା କୈାଣସି ଅଧିକାରୀ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ନାହିଁ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଗତ ମାସରେ ଜଣେ ଶିଶୁର ମୃତ୍ୟୁ ଘଟିବା ଅତ୍ୟନ୍ତ ନିନ୍ଦନୀୟ ।

କେନ୍ଦୁଝରରେ ଗତ ୧୮ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ଅଧିକାଂଶ ସମୟ ଛୁଟିରେ ରହୁଛନ୍ତି । ଶିଶୁ ରୋଗ ବିଶେଷଜ୍ଞମାନଙ୍କ ଅଭାବ ରହିଛି । ଆଜି ବି ପ୍ରସୂତି ମହିଳା ଡାକ୍ତରଖାନାକୁ ଖଟିଆରେ ବୁହା ହୋଇ ଆସିବା ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଉଦାହରଣ ବୋଲି ଶ୍ରୀ ମାଝୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ରାଜ୍ୟର ୫୫୨୫ଟି ଅପହଂଚ ଗାଁ ରହିଛି । ସେଥି ମଧ୍ୟରୁ କେନ୍ଦୁଝରରେ ୧୪୧, ଅନୁଗୁଳରେ ୧୦୮, ମୟୁରଭଂଜରେ ୧୪୫, ରାୟଗଡାରେ ୩୦୫, କଳାହାଣ୍ଡିରେ ୨୭୦, ଗଜପତିରେ ୧୬୦, ଜଗତସିଂହପୁରରେ ୨୧୧, କନ୍ଧମାଳରେ ୧୨୬, ମାଲକାନଗିରିରେ ୧୫୦, ନବରଙ୍ଗପୁରରେ ୧୮୮ଟି ଗାଁ ଅପହଂଚ ରହିଛି । ଖଣିଜ ସଂପଦ ପରିପୂର୍ଣ୍ଣ ଜିଲ୍ଲାମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଡିଏମ୍‌ଏଫ୍ ପାଂଠି ଗଠନ କରାଯାଇଛି । କେବଳ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ ଲୁହାଖଣି ଥିବାବେଳେ ଜିଲ୍ଲାର ବିକାଶ ପାଇଁ ୮୫୮୩ କୋଟି ଟଙ୍କାର ଡିଏମ୍‌ଏଫ୍ ପାଂଠି ରହିଛି ।

ଜିଲ୍ଲାରେ ବ୍ୟାପକ ପରିମାଣର ଅର୍ଥ ଥିବା ସତ୍ୱେ ଜିଲ୍ଲାର ବିକାଶ ତ ଦୂରର କଥା କୁପୋଷଣର ଶିକାର ହୋଇ ଶିଶୁ ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତିଖୋର ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି । କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାର ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ କରାଯିବା ପାଇଁ ଶ୍ରୀ ମାଝୀ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment