ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ, ଚଳଚଞ୍ଚଳ ବରଗଡ଼ । ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଟପଦା ରାଜଦରବାର ମଞ୍ଚରେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପରମ୍ପରା ଦୃଷ୍ଟିରୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ, ଏମ୍ପି ଡା. ପ୍ରଭାସ ସିଂ ଏବଂ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ମହୋତ୍ସବ ଉଦ୍ଘାଟନ କରିଛନ୍ତି । ନବବର୍ଷରେ ପଦାର୍ପଣ କରିଥିବା ୭୦ତମ ଧନୁଯାତ୍ରା ମହୋତ୍ସବରେ ସବୁଦିଗରୁ ନୂତନତ୍ଵ ଅଣାଯିବାକୁ ଉଦ୍ୟମ କରାଯାଇ ଥିବା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମହାରାଜା କଂସ ଓ ତାଙ୍କ ପାତ୍ରମନ୍ତ୍ରୀଙ୍କ ପାଇଁ ହାତୀ, ଓଟ, ଘୋଡ଼ା ମାହୁନ୍ତ ସହିତ ଗତକାଲି ସକାଳୁ ପହଞ୍ଚି ସାରିଛନ୍ତି । ଧନୁଯାତ୍ରାକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଧନୁଯାତ୍ରା ପାଇଁ ବରଗଡ଼ ଏସ୍ପି ମୁକେଶ କୁମାର ଭାମୁଙ୍କ ତତ୍ତ୍ବାବଧାନରେ ୨ଜଣ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୧୪ ଇନ୍ସପେକ୍ଟର, ୩୫ଜଣ ଏସ୍ଆଇ, ୫୬ ଏଏସ୍ଆଇ, ୨୨ ହାବିଲଦାର, ୧୨୮ କନଷ୍ଟେବଳ, ୨୦୦ ହୋମଗାର୍ଡ଼ ଏବଂ ୪୦ସେକ୍ସନ ଫୋର୍ସ ମୁତୟନ କରାଯାଇଥିବା ଏସ୍ଡିପିଓ ସୁରେଶ କୁମାର ନାଏକ ସୂଚନା ଦେଇଛନ୍ତି ।