ସିବିଆଇ କନ୍ଦଳ: ପୁନଃ ଅବସ୍ଥାପିତ ହେବାର ଦିନେ ପରେ ଆଲୋକ ବର୍ମା ପଦଚ୍ୟୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଭାବେ ଆଲୋକ ବର୍ମାଙ୍କୁ ସୁପ୍ରିମକୋର୍ଟ ପୁନଃ ଅବସ୍ଥାପିତ କରିବାର ଦିନେ ପରେ ତାଙ୍କୁ ପଦଚ୍ୟୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ ଚୟନ କମିଟି ବୈଠକରେ ଗୁରୁବାର ସନ୍ଧ୍ୟାରେ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚୟନ କମିଟିର ସଦସ୍ୟ ତଥା ଲୋକ ସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ତାଙ୍କ ପ୍ରସ୍ତାବ ଗ୍ରହଣୀୟ ହୋଇନାହିଁ । ପ୍ରଧାନମନ୍ତ୍ରୀ ରାଫାଲ ଚୁକ୍ତିରେ ହୋଇଥିବା ଦୁର୍ନୀତିର ତଦନ୍ତକୁ ଭୟ କରୁଛନ୍ତି । ଏଥିଯୋଗୁଁ ସେ ବର୍ମାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଇଦେଇଛନ୍ତି ବୋଲି କଂଗ୍ରେସ କହିଛି ।

ସୂଚନାଯୋଗ୍ୟ, ସିବିଆଇରେ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ଏହି ବିବାଦ ଉଗ୍ରରୂପ ଧାରଣ କରିବାରୁ ଅକ୍ଟୋବର ୨୩ରେ କେନ୍ଦ୍ର ସରକାର ରାତିଅଧିଆ ଏହି ଦୁଇ ଶୀର୍ଷ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇଦେଇଥିଲେ । ଏଥିସହ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଧିକାରୀ ଏମ୍‌.ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ । ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଛୁଟିରେ ଥିବାରୁ ବିଚାରପତି ସଞ୍ଜୟ କିଶନ କୌଲ ଏହି ରାୟ ଦେଇ ମଙ୍ଗଳବାର ବର୍ମାଙ୍କୁ ପୁନଃ ଅବସ୍ଥାପିତ କରିଥିଲେ । ଏହାସହ ସିବିଆଇ ନିର୍ଦ୍ଦେଶକଙ୍କୁ ଚୟନ କରି ନିଯୁକ୍ତି ଦେଉଥିବା ତଥା ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସିଭିସିଙ୍କ ତଦନ୍ତ ଆଧାରରେ ବର୍ମାଙ୍କ ଉପରେ ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ।

Leave a comment