ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇବ କେନ୍ଦ୍ର
ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିହାତି ଦରରେ ଡାଲି ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ କିଣାଯାଇଥିବା ଡାଲି ଷ୍ଟକ୍ରୁ କେନ୍ଦ୍ର ସରକାର ଏହି ଡାଲି ରାଜ୍ୟଗୁଡ଼ିକୁ ଯୋଗାଇ ଦେବେ ।
ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସ୍ଏସ୍ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫ ପ୍ରତିଶତରୁ ୪୦ ପ୍ରତିଶତକୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅନୁମୋଦିତ ଯୋଜନାରେ, ଡାଲି ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି ।
ପ୍ରଥମେ ଆବଶ୍ୟକ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ICDP) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଉପଯୋଗ କରିବେ ।
୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ ଡାଲି ଷ୍ଟକ୍ ଶେଷ ହେବା ପର୍ଯ୍ୟନ୍ତ, ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ । ଭାରତ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଏହି ଡାଲିକୁ ଉପଯୋଗ କରିବା ପାଇଁ ସକ୍ଷମ ହେବେ ।
ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡ଼ିକରେ ସ୍ଥାନ ଖାଲି ହୋଇପାରିବ । ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ । ଏହାଦ୍ବାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ ମୂଲ୍ୟ ପାଇପାରିବେ । ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ । ଭବିଷ୍ୟତରେ ମଧ୍ୟ ସେମାନେ ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ । ଏହା ଦେଶକୁ ଏପରି ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ସହାୟକ ହେବ ।
ନିକଟ ଅତୀତରେ, ବିଶେଷ କରି ଗତ ତିନି ବର୍ଷ ମଧ୍ୟରେ ଚଣା (ଡାଲି) ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ରବି ଋତୁରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଭାରତ ସରକାର ରେକର୍ଡ ପରିମାଣର ଡାଲି କିଣିଛନ୍ତି । ଏହି କାରଣରୁ ପିଏସଏସ ଏବଂ ପିଏସଏଫ ଅଧୀନରେ ସରକାରଙ୍କ ପାଖରେ ୩୦.୫୫ ଲକ୍ଷ ମେଟ୍ରିକ ଟନ୍ ଚଣା (ଡାଲି) ମହଜୁଦ ଅଛି । ପରବର୍ତ୍ତୀ ରବି ଋତୁରେ ଚଣା (ଡାଲି) ଉତ୍ପାଦନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି । ଏହାଛଡ଼ା ୨୦୨୨-୨୩ ଋତୁ ପାଇଁ ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା କାରଣରୁ ମୂଲ୍ୟ ସମର୍ଥନ ଯୋଜନାରେ ଅଧିକ ଡାଲି କିଣାଯିବ ।