ଟ୍ରାନ୍ସଜେଣ୍ଡର ଅପ୍ସରା ହେଲେ ମହିଳା କଂଗ୍ରେସର ଜେନେରାଲ ସେକ୍ରେଟାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଖିଳ ଭାରତୀୟ ମହିଳା କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ (ଜେନେରାଲ ସେକ୍ରେଟାରୀ) ଭାବେ ଜଣେ ଟ୍ରାନ୍ସଜେଣ୍ଡର ଅପ୍ସରା ରେଡ୍ଡୀଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ କଂଗ୍ରେସର ଅଫିସିଆଲ ଟୁଇଟର୍ ଆକାଉଣ୍ଟରେ ଏକ ପୋଷ୍ଟ କରାଯିବା ପରେ ବିଭିନ୍ନ ମହଲରୁ ଅପ୍ସରାଙ୍କୁ ଶୁଭେଚ୍ଛା ଜଣାଯିବା ସହ କଂଗ୍ରେସର ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି ।
ଅପ୍ସରା କଲେଜରେ ପାଠ ପଢ଼ିବା ବେଳଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିବା ସହ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ । ଏହାପରେ ସେ ଲଣ୍ଡନରେ ସ୍ନାତକ ଶେଷ କରିସାରି ସେଠାରେ ବିଭିନ୍ନ ଗଣମାଧ୍ୟମରେ ସାମ୍ବଦିକତା କରିଥିଲେ । ୨୦୧୬ରେ ସେ ଏଆଇଡିଏମ୍କେରେ ଯୋଗଦେଇ ଦଳର ମୁଖପାତ୍ର ଦାୟିତ୍ୱ ସମ୍ଭାଳୁଥିଲେ । ମାତ୍ର ଦଳର ମୁଖ୍ୟ ଜୟଲଳିତାଙ୍କ ମୃତ୍ୟୁ ପରେ ଅପ୍ସରା ଏଆଇଡିଏମ୍କେ ଦଳ ଛାଡି ଦେଇଥିଲେ ।