ଟଳୁଛି ବନ୍ୟା ବିପଦ ଆଶଙ୍କା; ବନ୍ଦ ହେଲା ଆଉ ୪ଟି ଗେଟ୍
ଟଳୁଛି ରାଜ୍ୟରୁ ବନ୍ୟା ବିପଦ ଆଶଙ୍କା । ଜଳସ୍ତର କମୁଥିବାରୁ ଆଜି ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହଉଛି । ସକାଳ ୯ ସୁଦ୍ଧା ହୀରାକୁଦର ଜଳସ୍ତର ୬୨୦.୭୧ ଫୁଟ ରହିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ବର୍ତ୍ତମାନ ଡ୍ୟାମ୍ କୁ ପ୍ରବେଶ କରୁଛି ୧ ଲକ୍ଷ ୮୩ ହଜାର ୩୮୧ କ୍ୟୁସେକ ଜଳ । ସେହିପରି ଡ୍ୟାମ୍ ରୁ ୩ ଲକ୍ଷ ୫୪ ହଜାର ୬୦୪ କ୍ୟୁସେକ ଜଳ ନିଷ୍କାଷିତ ହେଉଛି। ଏତତ୍ ବ୍ୟତୀତ ଖଇରମାଳରେ ପାସ୍ କରୁଛି ୫ ଲକ୍ଷ ୧୪ ହଜାର କ୍ୟୁସେକ ଜଳ । ସେହିପରି ମୁଣ୍ଡଳିରେ ମଧ୍ୟ ୭ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହାଫଳରେ ରାଜ୍ୟରୁ ବଡ ବନ୍ୟା ହେବାର ବିପତ୍ତି ଟଳିଛି । ତେବେ ବନ୍ୟାପରେ ସମ୍ପୂର୍ଣ୍ଣ କ୍ଷତିକ୍ଷତିର ଆକଳନ କରାଯିବ ବୋଲି ଏସ୍ ଆର୍ ସି ସୂଚନା ଦେଇଛନ୍ତି ।