କେନ୍ଦ୍ରସରକାରଙ୍କୁ ଝଟକା । ସିବିଆଇକୁ ଫେରିବେ ଆଲୋକ ବର୍ମା : ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ସିବିଆଇକୁ ନେଇ ଅନେକ ସମୟ ରେ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ଆଉ ଏକ ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଅକ୍ଟୋବର ୨୩ତାରିଖରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସୁପ୍ରିମେକୋର୍ଟ ମଙ୍ଗଳବାର ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଗୁଁ କେନ୍ଦ୍ର ସରକାରଙ୍କୁ ଜୋର୍‌ଦାର୍‌ ଝଟକା ଲାଗିଛି । ଆଲୋକଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରି ଛୁଟିରେ ଯିବାକୁ ବାଧ୍ୟ କରାଯାଇଥିବାରୁ ଏହାକୁ କୋର୍ଟ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଛୁଟିରେ ଥିବାରୁ ବିଚାରପତି ସଞ୍ଜୟ କିଶନ କୌଲ ଏହି ରାୟ ଦେଇଛନ୍ତି । ଆଲୋକ ସିବିଆଇକୁ ଫେରିବେ ମାତ୍ର କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଅଦାଲତ ସୂଚିତ କରିଛନ୍ତି । ଏହା ସହ ସୁପ୍ରିମକୋର୍ଟ ସାତ ଦିନ ମଧ୍ୟରେ ବର୍ମା ଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ଏବଂ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଙ୍କ ଦ୍ଵାରା ଚୟନ କମିଟି ଡାକିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମେକୋର୍ଟ ଦେଇଥିବା ରାୟ ଏକ ସମତୁଲ ରାୟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଜେଟ୍‌ଲୀ ଆହୁରୀ କହିଛନ୍ତି, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନଙ୍କ ସୁପାରିସ କ୍ରମେ ସରକାର ଦୁଇ ଶୀର୍ଷ ଅଧିକାରୀଙ୍କୁ ଛୁଟିରେ ପଠାଇଥିଲେ । ଉଭୟ ଅଧିକାରୀ ପରସ୍ପରଙ୍କ ନାମରେ ଅଭିଯୋଗ ଆଣିଥିବାରୁ କେନ୍ଦ୍ର ସରକାରଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧୀ କଂଗ୍ରେସ ଓ ଆପ୍‌ ପକ୍ଷରୁ ସ୍ବାଗତ କରାଯାଇଛି।

Leave a comment