ମଣ୍ଡିରେ ଅବ୍ୟବସ୍ଥା, ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାନ ଢାଳି ଅଭିନବ ଉପାୟରେ ପ୍ରତିବାଦ କଲା ଭାଜପା କୃଷକ ମୋର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ଶୁକ୍ରବାର ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ବାସ ଭବନ ଘେରାଉ କରିଛି ଭାଜପା କୃଷକ ମୋର୍ଚ୍ଚା । ଏଥିସହ ମୋର୍ଚ୍ଚାର ଶତାଧିକ ସଦସ୍ୟ ମନ୍ତ୍ରୀ ପାତ୍ରଙ୍କ ବାସଭବନ ଆଗରେ ଧାନ ଢ଼ାଳି ପ୍ରତିବାଦ କରିଥିଲେ । ଧାନ ବିକ୍ରି ପାଇଁ ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଥିଲେ ହେଁ ସବୁଠି ଅବ୍ୟବସ୍ଥା ଦେଖାଦେଇଛି । ଦିନ ଦିନ ଧରି ମଣ୍ଡି ଆଗରେ ଧାନ ବସ୍ତା ପଡ଼ି ରହୁଥିବା ବେଳେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଭାଜପା କୃଷକ ମୋର୍ଚ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ଏଫ୍‌ଏକ୍ୟୁ ମାନର ଧାନ ଆଳରେ ମଣ୍ଡିରେ ଚାଷୀଙ୍କଠାରୁ ୫ରୁ ୭ କି.ଗ୍ରା. ପର୍ଯ୍ୟନ୍ତ ଧାନ କାଟ୍‌ କରାଯାଉଛି । ଫଳରେ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

କେତେକ ସ୍ଥାନରେ ଚାଷୀମାନେ ଧାନ ବେପାରୀଙ୍କୁ କମ୍‌ ମୂଲ୍ୟରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ବିକୁଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ଏହାକୁ ବିରୋଧ ମଧ୍ୟ କରିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ପ୍ରକୃତ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ରାଜନୈତିକ ଭାଷଣବାଜିରେ ବ୍ୟସ୍ତ ରହୁଥିବା ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ।

Leave a comment