କେନ୍ଦ୍ରର ଛାତ୍ରମାରଣ ନୀତିକୁ ବିରୋଧ, ଆରମ୍ଭ ହେଲା ଦସ୍ତଖତ ଅଭିଯାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ପ୍ରତି କେନ୍ଦ୍ରସରକାରଙ୍କ ଅବହେଳାକୁ ନେଇ ଶୁକ୍ରବାରଠାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ମଧ୍ୟ ସାମିଲ ହୋଇଛି । ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ରର ଏହି ଛାତ୍ରମାରଣ ନୀତି ବିରୋଧରେ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସରକାର ଅନୁସୂଚିତ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ମେଧାବୃତ୍ତି ଅର୍ଥକାଟ୍‌ କରିଥିବାରୁ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଏହି ପ୍ରତିବାଦ ଆରମ୍ଭ ହୋଇଛି । ଲୋୟର ପିଏମ୍‌ଜିଠାରେ ଆଜିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲାରେ ଆୟୋଜନ କରାଯିବ । ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅଭିଯାନ ରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ମଧ୍ୟମ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ସଭାପତି ଅମରେଶ ପତ୍ରି ଓ ଛାତ୍ର ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ୯୦ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯାଉଥିଲା। ଏହି ଅର୍ଥ ବାବଦକୁ କେନ୍ଦ୍ର ୨୧୫. ୮୦ କୋଟି ଦେଉଥିବା ବେଳେ ଏହାକୁ ଏବେ ୨୨. ୪୮ କୋଟି ଟଙ୍କାକୁ ହ୍ରାସ କରିଛି । ଏହାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିରୋଧ କରାଯାଉଛି ।

Leave a comment