ମଣ୍ଡିରେ ଅବ୍ୟବସ୍ଥା, ରାଜରାସ୍ତାରେ ଚାଷୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ରାଜରାସ୍ତାରେ ବସିଛନ୍ତି ମାଲକାନଗିରି ଜିଲ୍ଲାର ଚାଷୀ । ସପ୍ତାହ ସପ୍ତାହ ଧରି ମଣ୍ଡିରେ ଧାନ କିଣା ନଯିବା ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ସଦର ଲ୍ୟାମ୍ପସ ଅଧୀନ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତ ସଦର ମହକୁମାଠାରେ ଦୁଇ ସପ୍ତାହ ହେବ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି । ଫଳରେ ରବିବାର ମଣ୍ଡିରେ ଧାନ ବିକ୍ରି କରିବାକୁ ଆସିଥିବା ଝରାପାଲ୍ଲୀ ଓ ପେଡାକୋଣ୍ଡା ପଞ୍ଚାୟତ ଶହ ଶହ ଚାଷୀ ମାଲକାନଗିରି ଜୟପୁର ଜାତୀୟ ରାଜପଥ ସିନ୍ଧ୍ରିମାଳ ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ୪ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଭୁବନେଶ୍ୱର, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ବଲାଙ୍ଗିର ଅଞ୍ଚଳରୁ ମାଲକାନଗିରି ଆସୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲୋ । ଦଶରଥ ପଡିଆମିଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଚାଷୀ ରାସ୍ତା ଅବରୋଧ କରିଥିଲେ । ଚାଷୀ ରାମା ମାଡି, ମଙ୍ଗୁଡୁ ପଡିଆମି, ବୁଟି ମାଡକାମି, ବଜା ମାଡକାମି, ଭଗବାନ ପଡିଆମି, ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ମଣ୍ଡିରେ ଟୋକନ ଦିଆ ଯିବ ବୋଲି ସମ୍ପୃକ୍ତ ମାଲକାନଗିରି ଲ୍ୟାମ୍ପ କର୍ତ୍ତୃପକ୍ଷ କହିଥିଲେ । ସେମାନେ ଦୁଇ ସପ୍ତାହ ଧରି ମଣ୍ଡିରେ ଧାନ ରଖିଛନ୍ତି । କିନ୍ତୁ ଟୋକନ ଦିଆ ଯାଉ ନଥିବା ବେଳେ ଧାନ କ୍ରୟ କରା ଯାଉ ନାହିଁ ।

ଅନ୍ୟପକ୍ଷରେ ଗୋରୁ ଓ ଛେଳି ଧାନ ବସ୍ତା ଚିରି ଧାନ ଖାଇବା ସହ ବସ୍ତା ନଷ୍ଟ କରୁଛନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରବଳ ଶୀତ ଲାଗି ରହିଥିବାରୁ ବାଧ୍ୟ ହୋଇ ଶୀତ କାକରରେ ରାତିରେ ଧାନ ଜଗି ରହିବାକୁ ପଡୁଛି । ଜାତୀୟ ରାଜପଥ ଅବରୋଧ ହେବାପରେ ଘଟଣା ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁୁ ବେହେରା, ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ, ଯୋଗାଣ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିି ୨୪ ଘଣ୍ଟା ମଧ୍ୟରେ ମଣ୍ଡିରେ ପଡି ରହିଥିବା ଧାନ ଉଠାଇବା ସହ ସେମାନଙ୍କର ଖାଲିବସ୍ତାର ଅର୍ଥ ବ୍ୟାଙ୍କ ଜମାଖାତାରେ ଡିପୋଜିଟ କରା ଯିବ ବୋଲି ଚାଷୀଙ୍କୁ କହିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave a comment