ଶ୍ରୀମନ୍ଦିରରେ ବିଶ୍ରୃଙ୍ଖଳା ବଢାଉଛନ୍ତି ସୁରକ୍ଷା କର୍ମୀ, ଅଭିଯୋଗ ପରେ ୨ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିକାନ୍ତିରେ ଚରମ ବିଶୃଙ୍ଖଳାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଦୁଇଟି ଏକ ଲଜ୍ଜାଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରାଯିବା ଓ ମଦ୍ୟପାନ କରି ଶ୍ରୀମନ୍ଦିରରେ ଡ୍ୟୁଟି କରିବା ଅଭିଯୋଗରେ ୨ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରାଯାଇଛି ।

ଘଟଣା ମୁତାବକ, ଯାଜପୁର ଜିଲ୍ଲାର ଜନୈକା ନାବାଳିକା ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ବେଳେ ଭିଡ଼ର ସୁଯୋଗ ନେଇ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିଲେ । ଏ ନେଇ ସିଂହଦ୍ୱାର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ଏସ୍‌.ପି ଡା.ସାର୍ଥକ ଷଡ଼ଙ୍ଗୀ ଏହାର ତଦନ୍ତ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ ପରେ ଅଭିଯୁକ୍ତ ନବମ ଆଇ.ଆର.ବି.ଏନ୍‌.ର କନଷ୍ଟେବଳ ସୁକେଶ ମେହରଙ୍କୁ ଚାକିରିରୁ ନିଲମ୍ବନ ସହ ଗିରଫ କରାଯାଇଥିବା ଏସ୍‌.ପି ସୂଚନା ଦେଇଛନ୍ତି । ସେହିପରି ଆଇ.ଆର.ବି.ଏନ୍‌ ହାବିଲଦାର ସୁବର୍ଣ୍ଣ କିଷନ ଶୁକ୍ରବାର ମଦ୍ୟପାନ କରି ଜୟବିଜୟ ଦ୍ୱାର ନିକଟରେ ବୁଲୁଥିବା ବେଳେ ଧରାପଡିଥିଲେ । ଏ ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ତାଙ୍କୁ ଶନିବାର ଚାକିରିରୁ ନିଲମ୍ବନ କରାଯାଇଛି ।

Leave a comment