ଓଓ୍ବେସୀଙ୍କୁ ଝଟକା; ଦଳ ଛାଡ଼ି ଆରଜେଡିରେ ସାମିଲ ହେଲେ ୪ ଜଣ ବିଧାୟକ
ମହାରାଷ୍ଟ୍ର ପରେ ଏବେ ବିହାରରେ ରାଜନୀତି ସରଗରମ । ବିହାରର ୪ ଜଣ ବିଧାୟକ ଆରଜେଡିରେ ସାମିଲ ହେବାକୁ ଘୋଷଣା କରିବା ପରେ ଏବେ ବିହାର ରାଜନୀତିରେ ଝଡ ସୃଷ୍ଟି ହୋଇଛି । ଅସଦୁଦ୍ଦିନ ଓଓ୍ବେସୀଙ୍କ ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହଦୁଲ ମୁସଲିମିନ୍ (AIMIM)ର ୪ ଜଣ ବିଧାୟକ ଦଳ ଛାଡିଛନ୍ତି ।
ଏମାନେ ସମସ୍ତେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ଉଦ୍ଧବ ଠାକରେଙ୍କୁ ଝଟ୍କା ପରେ ଝଟ୍କା ଲାଗୁଥିବା ବେଳେ ଏବେ ବିହାରରେ ସିଏମ୍ ନୀତୀଶ କୁମାର ସରକାର ମଧ୍ୟ ସଙ୍କଟରେ ।
ବିହାରରେ AIMIMର ମୋଟ ୫ ଜଣ ବିଧାୟକ ଗତ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଦଳ ଛାଡିବା ନେଇ ଘୋଷଣା କରିବା ପରେ ଦଳ ମାଟି କାମୁଡି ପଡିଛି । ବିହାର AIMIM ଅଧ୍ୟକ୍ଷ ତଥା ଅମୋର ସିଟରୁ ବିଧାୟକ ଥିବା ଅଖତରଉଲ ଇମାନଙ୍କୁ ଛାଡି ଅନ୍ୟ ୪ଜଣ ବିଧାୟକ ଲାଲୁ ଶିବିରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ଦଳ ଛାଡି ଆରଜେଡିରେ ସାମିଲ ହେବାକୁ ଯାଉଥିବା ବିଧାୟକମାନେ ହେଉଛନ୍ତି ବାୟସୀରୁ ବିଧାୟକ ସୟଦ ରୁକନୁଦ୍ଦୀନ ଅହମଦ, ଜୋକିହାଟରୁ ଶାହନଓ୍ବାଜ ଆଲମ, କୋଚାଧାମନରୁ ମହମ୍ମଦ ଇଜହାର ଅସଫୀ, ବାହାଦୁରଗଞ୍ଜ ବିଧାୟକ ମହମ୍ମଦ ଅଞ୍ଜାର ନଇମୀ । ଏହି ଚାରିଜଣ ଦଳଛାଡି ଆରଜେଡିରେ ସାମିଲ ହେବାକୁ ନେଇ ଘୋଷଣା କରିବା ବେଳେ ବିହାରରେ ସର୍ବ ବୃହତ ଦଳ ହୋଇଯାଇଛି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ।
ଗତ ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଥିଲା । ଆରଜେଡି ମୋଟ ୭୫ଟି ସିଟ୍ ଜିତିଥିବା ବେଳେ ବିଜେପି ୭୪ଟି ଆସନ ଜିତିଥିଲା । ପରେ ବିକାଶଶୀଳ ଇନସାନ୍ ପାର୍ଟି (ଭିଆଇପି)ର ୪ ଜଣ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିଲେ । ଫଳରେ ବିଜେପିର ମୋଟ ଆସନ ସଂଖ୍ୟା ୭୮ ହୋଇଯାଇଥିଲା । ଏବେ ଓଓ୍ବେସୀଙ୍କ ଦଳର ୪ ଜଣ ବିଧାୟକ ଆରଜେଡିରେ ସାମିଲ ହେବା ପରେ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୭୯ ହେବା ସହ ବିହାର ବୃହତ ଦଳ ମାନ୍ୟତା ପାଇଛି ।