ଡେଲିଭରୀ ଏଜେଣ୍ଟଙ୍କୁ ମିଳିବ ପେନସନ୍

0

ଡେଲିଭରୀ ଏଜେଣ୍ଟଙ୍କୁ ମିଳିବ ପେନସନ୍ ଓ ଲାଗୁ ହେବ ବୀମା ବ୍ୟବସ୍ଥା । ଟ୍ୟାକ୍ସି ଚାଳକ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଡେଲିଭରୀ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ତେବେ ଵୃଦ୍ଧାବସ୍ଥା କିମ୍ବା ଅବସର ସମୟରେ ସେମାନଙ୍କ ପାଖରେ କୌଣସି ସମ୍ବଳ ନଥିବା କାରଣରୁ ଏମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ଯୋଜନା ପାଇଁ ଚିନ୍ତା କରିଛି ନୀତି ଆୟୋଗ ।

ଖୁବଶୀଘ୍ର ଏଭଳି ସୁବିଧା ଲାଗୁ କରାଯିବ । ସମସ୍ତ ଡେଲିଭରୀ ଏଜେଣ୍ଟ ଓ ଡ୍ରାଇଭରଙ୍କୁ ଦୁର୍ଘଟଣା ବୀମା ପ୍ରଦାନ କରିବା ଲାଗି ନୀତି ଆୟୋଗ ପରାମର୍ଶ ଦେଇଛି । ଘରୋଇ ସଂସ୍ଥା କିମ୍ବା ସରକାରଙ୍କ ସହ ମିଶି କମ୍ପାନୀଗୁଡିକ ଏଥିପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି କୁହାଯାଇଛି । କାମ କରିବା ସମୟରେ କୌଣସି ଦୁର୍ଘଟଣା ଘଟି ଚାକିରି ହରାଇଲେ କିମ୍ବା ଆୟ ବନ୍ଦ ହୋଇଯିବା ଯୋଗୁଁ ସୃଷ୍ଟି ହେଉଥିବା ସ୍ଥିତିର ମୁକାବିଲା କରିବାକୁ ଡେଲିଭରୀ ଏଜେଣ୍ଟ, ଟାକ୍ସି ଚାଳକ ମାନଙ୍କୁ ଅବସରକାଳୀନ ଯୋଜନା, ବାର୍ଦ୍ଧକ୍ୟ ସମୟର ସୁବିଧା ଓ ଅନ୍ୟାନ୍ୟ ବୀମା ସୁବିଧା ଦେବା ବାବଦରେ କମ୍ପାନୀଗୁଡିକ ବିଚାର କରିବା ଆବଶ୍ୟକ ବୋଲି ନୀତି ଆୟୋଗ ଏକ ରିପୋର୍ଟ ଜାରି କରି ପ୍ରସ୍ତାବ ଦେଇଛନ୍ତି । ସାମାଜିକ ସୁରକ୍ଷା କୋଡ୍-୨୦୨୨ ଅନୁସାରେ ସରକାରଙ୍କ ସହ ମିଶି ଏହି ସୁବିଧାସୁଯୋଗ ଯୋଗାଇ ପାରିବେ ।

Leave a comment