ଚକା ସିଂହାସନ ପରେ ଶୁକ୍ରବାର ରଥରେ ଉଠାଇବେ ଦୁଆରଘଡ଼ା

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରଥଖଳାରେ ଠାକୁରଙ୍କ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭାକାମ ସାରି ରୂପକାରଙ୍କୁ ଦେଇଛନ୍ତି । ତାଳଧ୍ୱଜ ରଥର ବ୍ରେକ୍ ଚକରେ ଲାଗିଲା କ୍ଲାମ୍ପ । ଯନ୍ତ୍ରୀଙ୍କ ପରାମର୍ଶରେ ଦୁଇଟି କ୍ଲାମ୍ପ ଲାଗିଛି । ପହିଫାଟରେ ଆକାର ଅନୁସାରେ ବକ୍ର କ୍ଲାମ୍ପ ଲଗାଯାଇଛି ।
ସିଂହାସନ ଉପରେ କନକମୁଣ୍ଡି କାମ ଚାଲିଛି । କନକମୁଣ୍ଡିରେ ପିତଳ ଚାଦର ବୁଲିବ । ଯେପରି ରଥରେ ଅବସ୍ଥାନ ସମୟରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଓଦା ହେବ ନାହିଁ । ରଥମାନଙ୍କରେ କଣଫାଉଡା ଲଗାଯାଇଛି । ପ୍ରତି ଭୂଇଁର ତିନି କୋଣରେ ୧୨ଟି କଣଫାଉଡ଼ା ଲାଗିଛି । ଶୁକ୍ରବାର ଭୋଇସେବକମାନେ ରଥରେ ଦୁଆରଘଡ଼ା ଉଠାଇବେ । ରଥଚାଳି ଭାଙ୍ଗିଲା ପରେ ଏହି କାର୍ଯ୍ୟ ହେବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି । ରଥର ବ୍ରେକ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।