ପୁଣି ସୋଶାଲ ମିଡିଆରେ ମୁହଁ ଖୋଲିଲେ ଅନୁଭବ
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେନ୍ଦ୍ରାପଡ଼ା ସାଂସଦ ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି। ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ତାଙ୍କ ନାଁରେ ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲ । ଏପରି କାମରୁ ବାଦ ନ ପଡ଼ିଲେ ସେମାନଙ୍କୁ କୋର୍ଟ ଟାଣିବେ ବୋଲି ଚେତାବନୀ ଦେଇଛନ୍ତି ଅନୁଭବ ।
ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ସୋଶାଲ ମିଡିଆରେ ଖବର ପ୍ରସାରଣ ପରେ ମୁହଁ ଖୋଲିଛନ୍ତି ଅନୁଭବ ମହାନ୍ତି । ଏଭଳି ଅଯଥା ମିଥ୍ୟା ଓ ଭିତ୍ତିହୀନ ଖବର ପରିବେଷଣରୁ ବିରତ ରହିବାକୁ ଅନୁଭବ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲକୁ ଚେତାବନୀ ଦେଇଛନ୍ତି । ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରି ଅନୁଭବ ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି । ତା’ ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ବା କହିବେ। ଲୋକଙ୍କୁ ଦ୍ୱନ୍ଦରେ ନ ପକାଇବାକୁ ସେମାନଙ୍କୁ ଅନୁଭବ ଚେତାବନୀ ଦେବା ସହ ଭବିଷ୍ୟତରେ ଏପରି କଲେ କାଠଗଡ଼ାକୁ ଟାଣିବେ ବୋଲି ଚରମବାଣୀ ଶୁଣାଇ ଦେଇଛନ୍ତି।
ବାରମ୍ବାର ଭିଡିଓ ପୋଷ୍ଟ କରି ଅନୁଭବ ତାଙ୍କ ସମ୍ମାନହାନୀ କରୁଥିବା ନେଇ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।