ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କଠୁ ଲୁଟ୍, ଅଭିଯୁକ୍ତକୁ ୨ ବର୍ଷ ଜେଲ୍

0

ରାୟଗଡ଼ା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ପାଖରୁ ୯୭ ହଜାର ଟଙ୍କା ଲୁଟ୍ ମାମଲା। ଏହି ମାମଲାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ମହିଳା କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ଶର୍ମା ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଗଞ୍ଜାମର ଆଲୁ ସାନ୍ତୁଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୦ ଡିସେମ୍ବର ୨ ତାରିଖରେ ଚାନ୍ଦିଲି ଥାନା ଜେକେପୁର ନୂଆପଡ଼ା ଅଞ୍ଚଳର ସ୍ବଂୟ ସହାୟକ ଗୋଷ୍ଠୀର ୫ ମହିଳା ଗ୍ରୁପ ଋଣ ଟଙ୍କା ଉଠାଇବାକୁ ରାୟଗଡ଼ା ଆକ୍ସିସ୍ ବ୍ୟାଙ୍କକୁ ଆସିଥିଲେ। ୯୭ ହଜାର ୨୦୦ ଟଙ୍କା ଉଠାଣ ପରେ ସ୍ବଂୟ ସହାୟକ ଗୋଷ୍ଠୀର ଏ. ରେଣୁ ନାମକ ମହିଳା ଓ ସଦସ୍ୟାମାନେ ଟଙ୍କା ବ୍ୟାଗ୍ ନେଇ କପିଳାଶ ଛକ ଅଭିମୁଖେ ଚାଲି ଚାଲି ଯାଉଥିଲେ।

ଠିକ ଏହି ସମୟରେ ଅଭିଯୁକ୍ତ ଆଲୁ ସାନ୍ତୁ ଓ ସହଯୋଗୀ ବାଇକରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲେ। ଦୁଇ ଚୋରଙ୍କୁ ଧରିବା ଲାଗି ମହିଳାମାନେ ପାଟି କରିଥିଲେ। ହେଲେ ଆଖି ପିଛୁଳାକେ ପଲସର ଯୋଗେ ଦୁଇ ଚୋର ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ପରେ ଏନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା।

Leave a comment