ଆଜିଠୁ କଳିଙ୍ଗରେ ଇଣ୍ଡିଆନ୍ ଗ୍ରାଁପ୍ରି’ ସିରିଜ୍

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍ଆଇ) ପକ୍ଷରୁ ଶନିବାରଠାରୁ ଇଣ୍ଡିଆନ୍ ଗ୍ରାଁପ୍ରି’ ସିରିଜ୍ ଆରମ୍ଭ ହେବ । ଏଥିରେ ଶନିବାର ଗ୍ରାଁପ୍ରି’ ୩ ଓ ଆସନ୍ତା ମଙ୍ଗଳବାର ଗ୍ରାଁପ୍ରି’ ୪ ଅନୁଷ୍ଠିତ ହେବ । ସନ୍ଧ୍ୟା ସେସନ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ଗ୍ରାଁପ୍ରି’ ୩ ପୋଲ୍ଭଲ୍ଟରୁ ଆରମ୍ଭ ହୋଇ ୫ ହଜାର ମିଟର ଦୌଡ଼ ସହ ଶେଷ ହେବ ।

ଏଥିସହ ପାଖାପାଖି ୪ ବର୍ଷର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମ୍ରେ କୌଣସି ଜାତୀୟ ସ୍ତରର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଦୁଇ ତାରକା ଓଡ଼ିଆ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହି ଦୁଇ ପ୍ରତିଯୋଗୀ ୨ ଶହ ମିଟର ଦୌଡ଼ ଇଭେଣ୍ଟ୍ରେ ଭାଗ ନେବାକୁ ଥିବା ବେଳେ ପାଖାପାଖି ୪ ବର୍ଷ ପରେ ଶ୍ରାବଣୀ ପ୍ରଥମ ଥର ପାଇଁ ନିଜ ଦେଶରେ ଟ୍ରାକ୍କୁ ଓହ୍ଲାଇବେ । ତା’ଛଡ଼ା ତ୍ରିପଲ୍ ଜମ୍ପ୍ ଓ ମହିଳା ଶଟ୍ପୁଟ୍ ଥ୍ରୋ’ରେ ଆଭା ଖଟୁଆ ଓ ମନପ୍ରୀତ୍ କୌର୍ ମୁଖ୍ୟ ଆକର୍ଷଣ ରହିଛନ୍ତି । ଡିସକସ୍ ଥ୍ରୋ’ରେ ମଧ୍ୟ ନବଜିତ୍ କୌର୍ ଧିଲୋଁ ଓ ହାମର୍ ଥ୍ରୋ’ରେ ସରିତା ରମିତ୍ ସିଂହ ଅଂଶଗ୍ରହଣ କରିବେ ।

୩୧ ବର୍ଷୀୟା ଶ୍ରାବଣୀ ଜାମାଇକାରେ ଟ୍ରେନିଂ ନେଉଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୨୬ରେ ୨୩.୬୮ ସେକେଣ୍ଡ୍ରେ ୨ ଶହ ମିଟର ଦୂରତା ଅତିକ୍ରମ କରିଛନ୍ତି । ସେହିପରି ନବନୀତ୍ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ପରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ୫୪.୪୯ ମିଟର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ତା’ଛଡ଼ା ଅଭିଜ୍ଞ ସରିତା ଏକମାତ୍ର ପ୍ରତିଯୋଗୀ ଯିଏକି ୬୦ ମିଟରରୁ ଅଧିକ ଦୂରତା ହାସଲ କରିପାରିଛନ୍ତି ।

Leave a comment