ବିଦ୍ୟୁତ୍ ଆଘାତରେ ଏକକାଳୀନ ୭ ହାତୀଙ୍କ ମୃତ୍ୟୁ ଘଟଣା: ସେସୁକୁ ଏନ୍ଜିଟି ଛାଟ, ଜରିମାନା ଟଙ୍କା ୪ କୋଟିକୁ ବୃଦ୍ଧି
ଓଡିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗରେ ବିଦ୍ୟୁତ୍ ଆଘାତରେ ଏକକାଳୀନ ୭ ହାତୀଙ୍କ ମୃତ୍ୟୁ ଘଟଣାରେ କଡ଼ା ଅଭିମୁଖ୍ୟ ପୋଷଣ କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) । ହାତୀ ମୃତ୍ୟୁ ପାଇଁ ଏନ୍ଜିଟି ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଉପରେ ଜରିମାନା ରାଶିକୁ ୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଉକ୍ତ ଅର୍ଥ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରେ ଜମା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଜରିମାନା ଅର୍ଥ ହାତୀ ସୁରକ୍ଷା ଦିଗରେ ଖର୍ଚ୍ଚ କରିବାକୁ ଟ୍ରିବ୍ୟୁନାଲ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ହାତୀମୃତ୍ୟୁରେ ଓଡ଼ିଶା ଜାତୀୟସ୍ତରରେ ବଦନାମ ମୁଣ୍ଡାଇଛି । ରାଜ୍ୟରେ ଥିବା ବିଭିନ୍ନ ହସ୍ତୀ ପ୍ରକଳ୍ପ ଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ଏନ୍ଜିଟି । ବିଦ୍ୟୁତ୍ ଆଘାତରେ ହାତୀମୃତ୍ୟୁ ଘଟଣା ପରେ ଏନ୍ଜିଟି ଗତ ଅକ୍ଟୋବର ୩୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲେ । ଉକ୍ତ ସମୟରେ ସେସୁ ଉପରେ ୧ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ପର୍ଯ୍ୟାପ୍ତ ନ ଥିବା ଅନୁଭବ କରି ଏହି ରାଶିକୁ ୪ ଗୁଣା ବୃଦ୍ଧି କରିଛନ୍ତି ଏନ୍ଜିଟି ।
ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ ସଦର ବନଖଣ୍ଡ ଅଧୀନରେ କମଳାଙ୍ଗ ଗ୍ରାମ ନିକଟରେ ଅକ୍ଟୋବର ୨୬ରେ କମ୍ ଉଚ୍ଚତାରେ ଝୁଲି ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ ହାତୀ ପ୍ରାଣ ହରାଇଥିଲେ।