ବାରବାଟୀରେ ଅଗ୍ନି ନିରାପତ୍ତା ତଥ୍ୟ ମାଗିଲେ ଓଏଚଆରସି

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍

0

ଭୁବନେଶ୍ୱର : ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ । ବାରବାଟୀରେ ୪୪ହଜାର ଲୋକ ବସିବାକୁ ସିଟ୍ ଥିବାବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ମାନବାଧିକାର କର୍ମୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆଣି ପିଟିସନ୍ ଦିଆଯିବା ପରେ ଓଏଚ୍ଆର୍ସି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତାକୁ ନେଇ କ’ଣ ସବୁ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ଆୟୋଗ ସବିଶେଷ ତଥ୍ୟ କଟକ ଡିସିପି ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଚିବଙ୍କୁ ମାଗିଛନ୍ତି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ରଙ୍କ ପିଟିସନ୍ର ଶୁଣାଣି କରି ଓଏଚ୍ଆର୍ସି ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍କୁ ନେଇ ମିଶ୍ର କମିଶନଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ୪୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା ସମ୍ପର୍କରେ ମିଶ୍ରଙ୍କ ପିଟିସନ୍ରେ ଦର୍ଶାଯାଇଛି । ଏନେଇ ମିଶ୍ର ଓଏଚ୍ଆର୍ସିଙ୍କ ସମେତ ସ୍ପେଶାଲ ରେଞ୍ଜ୍ ଫାୟାର ଅଫିସରଙ୍କର ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି । ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା ନିୟମ, ୨୦୧୭ ସହିତ ଓଡ଼ିଶା ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା (ସଂଶୋଧିତ) ଆଇନ-୨୦୧୯ ଅନୁଯାୟୀ ଓସିଏ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିବା ନେଇ ସେ ଆବେଦନ କରିଛନ୍ତି । ମିଶ୍ରଙ୍କ ପିଟିସନ୍କୁ ଗୁରୁତ୍ୱର ସହିତ ଗ୍ରହଣ କରି କ୍ରିକେଟ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

Leave a comment