ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବିଶ୍ୱକର୍ମା

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାମ । ଗୋଟିଏ ପଟେ ଅର ଓ ପହି ସଂଯୋଗ ଚାଲିଥିବାବେଳେ ଅନ୍ଯ ପଟେ କମାରଶାଳରେ ଚକ ପାଇଁ ଆବଶ୍ୟକ କଣ୍ଟା ଯୋଗାଯାଉଛି । ପବିତ୍ର ଭଉଁରୀ ଅବସରରେ ୩ ରଥର ୬ଟି ଚକ ଡେରାଯିବାକୁ ଥିବାରୁ ମହାରଣା ସେବକଙ୍କୁ ଭୋଇ ସେବକମାନେ ଅଖ କାଠ ଯୋଗାଇଛନ୍ତି ।

ସୂଚନା ଥାଉକି, ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ ଟି ଅଖ କାଠ ପକାଯାଇଛି । ଚକରେ ଲାଗି ହୋଇଥିବା ପହି ବାହାର ବିନ୍ଧରେ ଖୁସିଅର ଲାଗିଥିଲା। ଏହା ପହି ଓ ଅରକୁ କାମୁଡି ଧରେ। ଗୋଟିଏ ଚକରେ ୪ଟି ପହି ,୧୬ଟି ବିନ୍ଧ, ୧୬ଟି ଅର ଓ ୧୬ଟି ଖୁସିଅର ଲାଗିଥାଏ। ଏହାପରେ ଚକର କଳସା ବା ପହି ବିନ୍ଧଣ କରାଯାଉଛି। ଜନ୍ତାଗାଡରେ ଭୋଇ ସେବକ ମାନେ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣରେ ଲାଗିଛନ୍ତି ମୁଖ୍ୟ ବିଶ୍ଵକର୍ମା।
ପୁରୀ ଏସପି କନୱର ବିଶାଳ ସିଂ ରଥଖଳା ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ନିର୍ମାଣକାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ।

Leave a comment