କୋର୍ବିଭାକ୍ସ ଡୋଜ୍ ମୂଲ୍ୟ ୨୫୦ ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ : ଦେଶରେ ୫ରୁ ୧୨ ବର୍ଷ ବୟସର ପିଲାଙ୍କୁ ବାଏଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋର୍ବିଭାକ୍ସ’ ଦିଆଯିବ ବୋଲି ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଅନୁମତି ଦେଇସାରିଛନ୍ତି । କମ୍ପାନୀ ପକ୍ଷରୁ ପ୍ରଥମେ ଏହି ଟିକାର ପ୍ରତ୍ୟେକ ଡୋଜ୍ ୮୪୦ ଟଙ୍କା (ଟିକସ ସହ ୯୯୦ ଟଙ୍କା) ଧାର୍ଯ୍ୟ କରାଯାଇଥିଲା ।
ବର୍ତ୍ତମାନ ପ୍ରତ୍ୟେକ ଡୋଜ୍ର ମୂଲ୍ୟ ୨୫୦ ଟଙ୍କାକୁ ହ୍ରାସ କରାଯାଇଛି । ଫଳରେ ଟିକସ ଓ ପ୍ରଶାସନିକ ଖର୍ଚ୍ଚକୁ ମିଶାଇଲେ, ପ୍ରତ୍ୟେକ ଡୋଜ୍ର ମୂଲ୍ୟ ଏଣିକି ୪୦୦ ଟଙ୍କାରେ ସୀମିତ ରହିବ ବୋଲି ଜଣାପଡିଛି । ଚଳିତବର୍ଷ ପ୍ରାରମ୍ଭରେ ୧୨-୧୫ ବର୍ଷ ବୟସର ପିଲାଙ୍କ ପାଇଁ କୋର୍ବିଭାକ୍ସ ଟିକା ବ୍ୟବହାର ଆରମ୍ଭ ହୋଇସାରିଛି । କମ୍ପାନୀ ପକ୍ଷରୁ ସରକାରୀ ହସ୍ପିଟାଲଗୁଡିକୁ ଏହି ଟିକା ଡୋଜ୍ ପିଛା ୧୪୫ ଟଙ୍କାରେ ଯୋଗାଇ ଦିଆଯାଉଛି । ଦେଶରେ ୬-୧୨ ବୟସ ବର୍ଗ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକାକୁ ମଧ୍ୟ ଡିସିଜିଆଇ ଅନୁମୋଦନ କରିସାରିଛନ୍ତି ।