କେଜ୍ରିୱାଲ ସରକାର ବିରୋଧରେ ବିଜେପିର “ପୋଲ୍‌ ଖୋଲ” ଅଭିଯାନ

ତୁମର ପ୍ରଶାସନିକ କଳ ଥିଲେ ଆମ ପାଖେ କାର୍ଯ୍ୟକର୍ତ୍ତାଙ୍କ ବଳ: ବୈଜୟନ୍ତ ପଣ୍ଡା

0

ନୂଆଦିଲ୍ଲୀ/ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର “ପୋଲ୍‌ ଖୋଲ” ଅଭିଯାନ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧୫ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ପାୟ ୨୫ ଲକ୍ଷ ପରିବାର ନିକଟରେ କେଜ୍ରିୱାଲ ସରକାରଙ୍କ ମିଥ୍ୟା ପ୍ରତିଶୃତି ଓ ବିଫଳତାର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି। ଏଥିପାଇଁ ଦଳ ଏକ ପ୍ରଚାର ପତ୍ର ପ୍ରସ୍ତୁତ କରିଛି।

ଏହି ଅବସରରେ ପ୍ରାୟ ୫ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି “ଦିୱାର” ଚଳଚିତ୍ରର ଚର୍ଚ୍ଚିତ ସଂଳାପକୁ ଉଲ୍ଲେଖ କରି କହିଥିଲେ ଯଦି କେଜ୍ରିୱାଲ ସରକାରଙ୍କ ପାଖରେ ପ୍ରଶାସନିକ କଳ ଅଛି ତେବେ ଆମ ପାଖରେ କାର୍ଯ୍ୟକର୍ତ୍ତାଙ୍କ ବଳ ଅଛି। ଏହି ବଳ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି କେଜ୍ରିୱାଲ ସରକାରଙ୍କ ମିଥ୍ୟା ପ୍ରତିଶୃତି ଓ ବିଫଳତାର ମୁଖା ଖୋଲିବ। ଯାହାଦ୍ବାରା ଆଗାମୀ ମହାନଗର ନିଗମ ଓ ବିଧାନସଭା ନିର୍ବାଚନରେ ଦଳକୁ ସଫଳତା ମିଳିବା ସହ ଦଳ ସରକାର ଗଠନ କରିବ। ପଞ୍ଜାବରେ ଆପ କ୍ଷମତାକୁ ଆସିବା ପରେ ପ୍ରଶାସନକୁ ଦୂରୁପଯୋଗ କରିବା ଆରମ୍ଭ ହୋଇଯାଇଛି। ଯାହାର ଉଦାହରଣ ହେଉଛି ତଜିନ୍ଦର ପାଲ ସିଂହ ବଗ୍ଗାଙ୍କ ଗିରଫଦାରୀ। ପଞ୍ଜାବରେ ଏବେ ଖଲ୍ଲୀସ୍ଥାନର ନାରା ଶୁଣିବାକୁ ମିଳୁଛି। କେଜ୍ରିୱାଲଙ୍କ ୧୦ଟି ପ୍ରତିଶୃତିକୁ ପୁରଣ କରିବାରେ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଶ୍ରୀଯୁକ୍ତ ପଣ୍ଡା କର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ଦିଲ୍ଲୀ ପ୍ରଦେଶ ସଭାପତି ଶ୍ରୀଯୁକ୍ତ ଆଦେଶ ଗୁପ୍ତାଙ୍କ ସହ ବହୁ ସାଂସଦ ଓ ବିଧାୟକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଜେ. ପି. ନଡ୍ଡା ଗତ ୭ ତାରିଖରେ ଶ୍ରୀଯୁକ୍ତ ପଣ୍ଡାଙ୍କ ସହ ଏକ ବୈଠକ ପରେ ଆମ୍‌ ଆଦମୀ ପାର୍ଟି ଉପରେ ରାଜନୈତିକ ଆକ୍ରମଣକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ। କେଜ୍ରିୱାଲ ସରକାରଙ୍କ ସମସ୍ତ ଦୋଶ ତୃଟି ଓ ବିଫଳତାକୁ ଲୋକଲୋଚନକୁ ଆଣିବାକୁ ଦିଲ୍ଲୀ ନେତୃବୃନ୍ଦକୁ ପରାମର୍ଶ ଦେଇଥିଲେ।

Leave a comment