ପୀୟୂଷଙ୍କୁ ରଣେନ୍ଦ୍ରଙ୍କ ଚିଠି : ବକେୟା ଦିଅ, ଚାଉଳ ନିଅ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାକୁ ଧାନ ସଂଗ୍ରହ ବାବଦ ବକେୟା ସବସିଡି ଅର୍ଥ ପ୍ରଦାନ, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପତ୍ର ଲେଖିଛନ୍ତି ।

ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଧାନସଂଗ୍ରହ ବାବଦକୁ ମିଳୁଥିବା ସବସିଡି ଅର୍ଥ ପ୍ରଦାନରେ କେନ୍ଦ୍ର ସରକାରଙ୍କ ବିଳମ୍ବ ଯୋଗୁଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଉପରେ ଆର୍ôଥକ ଚାପ ସୃଷ୍ଟିହେଉଛି। ଏପ୍ରିଲ୍ ୨୦୨୨ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସବସିଡି ବାବଦକୁ ପାଇବାକୁ ଥିବା ମୋଟ୍ ପ୍ରାୟ ୧୦୩୩୪ କୋଟି ଟଙ୍କା ବକେୟା ରହିଛି । ପ୍ରୋଭିଜନାଲ ସବସିଡି ବାବଦକୁ ୭୯୩୧.୯୦ କୋଟି ଏବଂ ଅଗ୍ରୀମ ସବସିଡି ପ୍ରଦାନ ବାବଦକୁ ୨୪୦୨.୧୯ କୋଟି ବକେୟା ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ସବସିଡି ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ସ୍ୱଳ୍ପ ପରିମାଣରେ ଅର୍ଥ ପ୍ରଦାନ ଯୋଗୁଁ ନିଗମକୁ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ସୁଧ ବହନ କରିବାକୁ ପଡ଼ୁଛି, ଯାହାକୁ କେନ୍ଦ୍ର ସରକାର ପ୍ରଦାନ କରିବା ଆବଶ୍ୟକ ।
୨୦୨୧-୨୨ ଖରିଫ୍ ଋତୁରେ ରାଜ୍ୟଦ୍ୱାରା ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗୃହୀତ ହୋଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ ଜନକଲ୍ୟାଣ ଯୋଜନାରେ ରାଜ୍ୟ ନିଜସ୍ୱ ଚାହିଦା ମୁତାବକ ୩୯ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳର ଉପଯୋଗ କରିଥିବା ବେଳେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପଡ଼ିରହିଛି । ଏଣୁ ଏହି ଚାଉଳକୁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଉଠାଇବାର ଆବଶ୍ୟକତା ରହିଛି । ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ୫ ଲକ୍ଷ ଟନ୍ ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ଏଫ୍ସିଆଇକୁ ଯୋଗାଣ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି । ରାଜ୍ୟ ଅଧିକ ପରିମାଣରେ ଏହି ଚାଉଳ ଦେବାକୁ ସକ୍ଷମ ହୋଇଥିବାରୁ ଭାରତ ସରକାରଙ୍କୁ ଅତିରିକ୍ତ ଲକ୍ଷ୍ୟ ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପତ୍ରରେ ଉଲ୍ଲେଖ କରିଛନ୍ତି । ଏତଦ୍ବ୍ୟତୀତ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗହମ ଚାହିଦା ମେଣ୍ଟାଇବା ପାଇଁ କଟକ ଜଗତପୁରସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋକୁ ଗହମ ଯୋଗାଣ କରିବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ରାଜ୍ୟ ଭଳି ଓଡ଼ିଶାର ହିତାଧିକାରୀଙ୍କୁ ଶତପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ସେ ପତ୍ରରେ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Leave a comment