‘ଗ୍ୟାସ୍’ ରାଜନୀତି: ବିଜେଡି, ବିଜେପି ଏବଂ କଂଗ୍ରେସଙ୍କ ବୟାନବାଜି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନା ମହାମାରୀ ସମୟ ପରେ ପରେ ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଚାଲିଛି । ବିଶେଷ କରି ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଏବଂ ଖାଇବା ତେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦରରେ ଆଉ ୫୦ ଟଙ୍କା ବୃଦ୍ଧି କରିବାକୁ ନେଇ ଦେଶବ୍ୟାପୀ ବିରୋଧାଭାସ ସୃଷ୍ଟିହୋଇଛି । ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବିଜେଡି, ବିଜେପି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି ।

ଗ୍ୟାସ୍ ଦରବୃଦ୍ଧି ପ୍ରସଙ୍ଗରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ୟାସ୍ ସିଲିଣ୍ଡର ଦର ପ୍ରତିଦିନ ବଢ଼ିଚାଲିଛି । ଦୁଇ ତିନି ବର୍ଷ ମଧ୍ୟରେ ଗୋଟିଏ ଏଲପିଜି ସିଲିଣ୍ଡର ଦର ହଜାରେ ଟପିଲାଣି । ପ୍ରଧାନମନ୍ତ୍ରୀ ଅଛେଦିନ୍ କଥା କହିଥିଲେ । ହେଲେ ଏବେ ମହିଳାମାନେ କେନ୍ଦ୍ର ସରକାରଙ୍କ ଯୋଗୁଁ ପ୍ରବଳ ହଇରାଣରେ ଅଛନ୍ତି । କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୁଦ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରିବୁ । ଖରା ଟିକେ କମିଗଲେ ବିଜେଡି ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କରୋନା ସମୟରେ ଗ୍ୟାସ୍ ଦର ଯେଉଁଭଳି ଭାବରେ ବଢ଼ିଛି, ତାହା ଗୃହିଣୀମାନଙ୍କୁ ବାଧିଛି । ଆଜି ଅନେକଙ୍କ ଘରେ ଏଥିପାଇଁ ଚୁଲା ଜଳିପାରୁନି । ଦରବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର କୌଣସି ପଦକ୍ଷେପ ନେଉନାହିଁ । ଲୋକଙ୍କ ଦ୍ୱାରା ଭୋଟ୍ ବେଳେ ପ୍ରତ୍ୟାଖାନ୍ ହେବାର ଭୟ ଆଉ ସେମାନଙ୍କର ନାହିଁ । କେବଳ ସାମ୍ପ୍ରଦାୟିକ କଥା କହି ବିଜେପି ଭୁଆଁ ବୁଲେଇଚାଲିଛି ।

ଅନ୍ୟପଟେ ଏହାକୁ ନେଇ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସଫେଇରେ କହିଛନ୍ତି, ଲୋକ ତ ଟଙ୍କିକିଆ ଚାଉଳ ଖାଉଛନ୍ତି, ସେ ବାବଦରେ ଗ୍ୟାସ୍ରେ ପଇସା ଦିଅନ୍ତୁ । ଏବେ ପ୍ରତି ଘରେ ଗ୍ୟାସ୍ । ଆଗରୁ ତ ଟଙ୍କିକିଆ ଚାଉଳ ମିଳୁନଥିଲା । ଏବେ ମିଳୁଛି ଯେହେତୁ ଗ୍ୟାସ୍ ବାବଦରେ ପଇସା ଦେବେ । ଗ୍ୟାସ୍ ଦର ସବୁବେଳେ ବଢ଼ିବ, କମିବ । ଗତ କିଛି ବର୍ଷ ଧରି ଏମିତି ଚାଲିଛି । ଦର କମିଲା ବେଳେ କେହି ଧନ୍ୟବାଦ ଦେଉନାହାନ୍ତି । ବଢ଼ିଗଲା ବେଳେ ସମସ୍ତେ ଟିକେ ବିରୋଧ କରିବା ସ୍ୱାଭାବିକ୍ ।

Leave a comment