୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି। ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । ଏହାପରେ ଅବପାତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଆସନ୍ତା ୮ ତାରିଖରେ ବାତ୍ୟା ସୃଷ୍ଟି ହେଲେ ତାହା ୧୦ ସୁଦ୍ଧା ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ସେତେବେଳେ ପବନର ତୀବ୍ରତା କେତେ ରହିବ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି।

ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ କୁମାର ଜେନା । ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ (୬୦ଟି ସବ୍ ଟିମ ହୋଇପାରିବ) ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ଏନଡିଆରଏଫକୁ ମଧ୍ୟ ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଏସ୍ଆରସି ।

Leave a comment