୧୪ରୁ ଦ୍ୱିତୀୟ ପର୍ଯ୍ୟାୟ +୨ ପ୍ରଶ୍ନପତ୍ର ପଠାଯିବ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ମେ’ ୧୮ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଗୁଡ଼ିକର ପରୀକ୍ଷା ଲାଗି ଏହି ପର୍ଯ୍ୟାୟରେ ପ୍ରଶ୍ନପତ୍ର ପଠାଯିବ । କେଉଁଦିନ କେଉଁ ବିଷୟର କେତେ ପ୍ରଶ୍ନପତ୍ର ଆବଶ୍ୟକ ରହିଛି, ସେନେଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ମଗାଯାଇଛି । ସମସ୍ତ ଟ୍ୟାଗ୍ କଲେଜଗୁଡ଼ିକ ୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ରର ଆବଶ୍ୟକତା ସମ୍ପର୍କରେ ପରୀକ୍ଷା କେନ୍ଦ୍ର/ଉପକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଜଣାଇବେ । ୮ ତାରିଖ ସୁଦ୍ଧା ଉପକେନ୍ଦ୍ରଗୁଡ଼ିକ ସେମାନଙ୍କ ପରୀକ୍ଷା କେନ୍ଦ୍ର ଅଧିକାରୀଙ୍କୁ ଏବଂ ୧୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକ ଏନେଇ ପରୀକ୍ଷା ପରିଚାଳନା ହବ୍କୁ ଅବଗତ କରିବେ । ହବ୍ର ସୁପରଭାଇଜର୍ ଏ ଦିଗରେ ପଦକ୍ଷେପ ନେବା ସହ ଏହା ଅଧୀନ ସମସ୍ତ କେନ୍ଦ୍ରରେ ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କରେ ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇବେ ।

କୌଣସି ପରୀକ୍ଷା କେନ୍ଦ୍ର ଯଦି ଭୁଲ୍ ତଥ୍ୟ ଦେଇଥା’ନ୍ତି କିମ୍ବା ତଥ୍ୟ ଦେବାରେ ବିଳମ୍ବ କରନ୍ତି, ସେଥିପାଇଁ +୨ପରିଷଦ ଦାୟୀ ରହିବ ନାହିଁ । ପ୍ରଶ୍ନପତ୍ର କମ୍ ରହିଲେ, ସେ ସମ୍ପର୍କରେ କୌଣସି କଲେଜ କର୍ତ୍ତୃପକ୍ଷ ସିଧାସଳଖ ପରିଷଦକୁ ଯୋଗଯୋଗ କରିପାରିବେ ନାହିଁ । ଏ କ୍ଷେତ୍ରରେ କେବଳ ପରୀକ୍ଷା ପରିଚାଳନା ହବ୍ର ସୁପରଭାଇଜର୍ ଇ-ମେଲ୍ ମାଧ୍ୟମରେ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କୁ ଯୋଗାଯୋଗ କରିବେ । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ମେ’ ୧୪ଠାରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବା କାର୍ଯ୍ୟ ଆରମ୍ଭ ହେବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି । ସେହିପରି ୨ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବା ସହିତ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଇ-ମୂଲ୍ୟାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମେରିଟ୍ ଟ୍ରାକ୍ ଆଇଟି କମ୍ପାନୀ ଚଳିତବର୍ଷ ଇ ମୂଲ୍ୟାଙ୍କନ କରିବ ।

Leave a comment