ବିଳମ୍ବ ରେ ପହଞ୍ଚିବାରୁ ସର୍ଵ ସମ୍ମୁଖରେ କ୍ଷମାପ୍ରାର୍ଥନା କରି ପ୍ରବାସୀ ଓଡ଼ିଆଙ୍କ ମନଜିଣିଲେ ମୁଖ୍ୟମନ୍ତ୍ରୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁରଟର ଓଡିଶା ମହୋତ୍ସବରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ଦେଇ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ସହ କଲଚରାଲ ସେଣ୍ଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ର ଗୁରୁଦାୟିତ୍ୱ ରେ ଥିବା ତରୁଣ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଅତନୁ ସବ୍ୟସାଚୀ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ମହୋତ୍ସବରେ ଯୋଗଦେବା ପାଇଁ ଦିନିକିଆ ଗ୍ରସ୍ତରେ ସୁରଟ ଯାଇଥିଲେ । ମାତ୍ର ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବାରେ ବିଳମ୍ବ ହେବାରୁ ସର୍ଵ ସମ୍ମୁଖରେ କ୍ଷମାପ୍ରାର୍ଥନା କରିଥିଲେ । ଯାହାକି ସେଠାରେ ଉପସ୍ଥିତ ଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ମାନଜିଣିଥିଲା । ମୁଖ୍ୟମନ୍ତ୍ରୀ ଗୁଜୁରାଟ ର ଖୁବ ପ୍ରଶଂସା କରି କହିଥିଲେ କି ବାପୁଙ୍କ ଜନ୍ମଭୂମି କୁ ଆସି ସେ ଅତ୍ୟନ୍ତ ଖୁସି । ବାପୁଜୀ ଥିଲେ ଅଂହିସାର ପୂଜାରୀ । ଅହିଂସା ସହିତ ଶାନ୍ତି ଏବଂ ଶାନ୍ତି ସହିତ ବିକାଶର ସମ୍ପର୍କର ରହିଛି । ବିକାଶ ଆଜି ଓଡିଶାର ପରିଚୟ ହୋଇଛି । କଳା ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡିଶାର ପରିଚୟ ହୋଇଛି । ନବୀନ କହିଛନ୍ତି, ସୁରଟରେ ବହୁ ଓଡିଆ ଭାଇଭଉଣୀ ରହୁଛନ୍ତି । ଓଡିଶା ଓ ଗୁଜୁରାଟ, ଦୁଇ ରାଜ୍ୟର ବିକାଶରେ ସୁରଟବାସୀଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସେହିପରି, ସୁରଟରେ ଖୁବ ଶିଘ୍ର ଯୁକ୍ତ ୨ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରଟରେ ରହି ଓଡିଆ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବା ବିଷୟରେ ଓଡିଶା ସରକାର ଚିନ୍ତା କରୁଛନ୍ତି । ସୁରଟର ଓଡିଆ ପିଲାମାନଙ୍କ ପାଇଁ ଓଡିଶା ସରକାର ଓଡିଆ ବହି ଯୋଗାଇଦେବେ । ସେହିପରି ସୁରଟରେ ଓଡିଆ କଲଚରାଲ୍ ସେଂଟର ପାଇଁ ଜାଗା ଦେବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିବା ନବୀନ କହିଛନ୍ତି । ଆଉ ଏହି କଲଚରାଲ ସେଂଟର ପ୍ରତିଷ୍ଠା ପାଇଁ ନବୀନ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି । ସୁରତର ପ୍ରବାସୀ ଓଡିଆ, ଓଡିଶା ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁରଟ ଗ୍ରସ୍ତ ପୂର୍ବରୁ ବ୍ରହ୍ମପୁରରୁ ସୁରଟକୁ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଯୋଗାଇ ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ନବୀନ କହିଥିଲେ ।

Leave a comment