ମିସ୍ ୟୁନିଭର୍ସ ହେଲେ ଫିଲିପାଇନ୍ସର କ୍ୟାଟ୍ରିଓନା

ଓଡିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର ୯୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଫିଲିପାଇନ୍ସର କ୍ୟାଟ୍ରିଓନା ଏଲିସା ଗ୍ରେ ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହୋଇଛନ୍ତି । ରବିବାର ଆୟୋଜିତ ଏହି ପ୍ରତିଯୋଗିତାରେ ୨୦୧୭ ର ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟିନୀ ଡେମି ଲିଘ୍ ନେଲ୍-ପେଟର୍ସ କ୍ୟାଟ୍ରିଓନାଙ୍କୁ ମୁକୁଟ ପିନ୍ଧାଇଥିଲେ ।
ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀର ସମସ୍ତ ସଦସ୍ୟ ମହିଳା ଥିଲେ । ଦକ୍ଷିଣ ଆଫ୍ରିକାର ମେଡିକାଲ ଛାତ୍ରୀ ଟାମାରିନ୍ ଗ୍ରୀନ୍ ଏବଂ ଭେନେଜୁଏଲାର ଆଇନ ଛାତ୍ରୀ ଷ୍ଟେଫାନି ଗୁଟେରେଜ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଏ କ୍ଷେତ୍ରରେ ପ୍ରଥମ ଥର ପାଇଁ ସ୍ପେନ୍ର ଆଞ୍ଜେଲା ପୋନ୍ସ କିନ୍ନର ଭାବରେ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ବ୍ରହ୍ମାଣ୍ଡ ସୁନ୍ଦରୀ ଗ୍ରେ ମ୍ୟୁଜିକ୍ ଥିଓରିରେ ମାଷ୍ଟର ସାର୍ଟିଫିକେଟ ହାସଲ କରିଛନ୍ତି । ସେ ମଧ୍ୟ ଏଚ୍ଆଇଭି/ଏଡ୍ସ ସଚେତନତାର ପ୍ରମୁଖ ପ୍ରବକ୍ତା ଏବଂ ଜଣେ ଶିକ୍ଷୟିତ୍ରୀ ବୋଲି ମିସ୍ ୟୁନିଭର୍ସ ଓ୍ବେବ୍ସାଇଟ୍ରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ,ଏହି ପ୍ରତିଯୋଗିତାରେ ଭାରତର ନେହାଲ ଚୂଡାସାମା (୨୨) ଶ୍ରେଷ୍ଠ ୨୦ ସୁନ୍ଦରୀଙ୍କ ମଧ୍ୟରେ ରହି ନ ପାରିବାରୁ ଭାରତକୁ ନିରାଶ ହେବାକୁ ପଡିଛି । ୨୦୦୦ରେ ଶେଷଥର ଲାଗି ଭାରତର ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିଥିଲେ ।