କୋଇଲା ଯୋଗାଣ ୧୫% ବଢିଛି

0

ନୂଆଦିଲ୍ଲୀ : ପ୍ରବଳ ଖରାରେ ଜଳୁଛି ସାରା ଭାରତ । ଏହା ସହିତ ଦେଶରେ ବଢ଼ିଛି ବିଜୁଳିର ଚାହିଦା । ଏଭଳି ସମୟରେ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ଖବର ଆସିଥିବା ବେଳେ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ସଙ୍କଟ ଦେଖା ଦେଇଥିଲା । ଏମିତିକି କିଛି ସ୍ଥାନରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାର ଅଭିଯୋଗ ମଧ୍ୟ ଆସିଥିଲା । ତେବେ ସୋମବାର କୋଲ୍ ଇଣ୍ଡିଆ ଲିମିଟେଡ଼(ସିଆଇଏଲ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ଦେଶର ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଣ ବୃଦ୍ଧି ପାଇଛି । କୋଇଲା ଯୋଗାଣ ୧୫.୬ ପ୍ରତିଶତ ବୃଦ୍ଧି ପାଇ ୪୯.୭ ମିଲିୟନ ଟନ୍ରେ ପହଞ୍ଚିଛି । ବିଦ୍ୟୁତ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଯୋଗାଣ ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ଏପ୍ରିଲ ମାସ ୨୧ ତାରିଖ ସୁଦ୍ଧା ପାୱାର ପ୍ଲାଣ୍ଟ ଗୁଡ଼ିକୁ ୪୯.୭ ମିଲିୟନ ଟନ୍ କୋଇଲା ଯୋଗାଣ ହୋଇଛି । ଯାହା ଗତବର୍ଷ ସମାନ ସମୟଠାରୁ ୬.୭ ମିଲିୟନ ଟନ୍ ଅଧିକ । ଆସନ୍ତା ମାସରେ “ସିଆଇଏଲ’ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହିତ ପ୍ଲାଣ୍ଟ ଗୁଡ଼ିକୁ ଅଧିକ କୋଇଲା ଯୋଗାଣ କରିବାକୁ ଯୋଜନା କରିଛି । ସେହିଭଳି କୋଲ ଇଣ୍ଡିଆର ଉତ୍ପାଦନ କ୍ଷମତା ଗତ ମାସରେ ୨୭.୬ ପ୍ରତିଶତ ବୃଦ୍ଧି ପାଇ ୫୩.୫ ମିଲିୟନ ଟନ୍ ରେ ପହଁଞ୍ଚିଛି । ଯାହା ଗତ ବର୍ଷ ଏପ୍ରିଲରେ ୪୧.୯ ମିଲିୟନ ଟନ୍ ଥିଲା ।

Leave a comment