ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ମେ ୧ ତାରିଖକୁ ପ୍ରତି ବର୍ଷ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ସମାଜ ଗଠନରେ ଶ୍ରମିକ ମାନଙ୍କର ଯୋଗଦାନକୁ ସ୍ବୀକୃତି ପ୍ରଦାନ କରି ଏହି ଦିବସ ପାଳନ କରାଯାଉଛି।
କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ବାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ ଅଟେ। ପୂର୍ବରୁ ଶ୍ରମିକ ମାନେ କାମ କରିବାର କିଛି ସଠିକ ସମୟସୀମା ନଥିବା ବେଳେସେମାନେ ଅଧିକ ସମୟ କାମ କରୁଥିଲେ। ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ । ପରେ ୧୮୮୬ ମସିହା ମେ ୧ ତାରିଖରେ ମଧ୍ୟ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ। ପରେ ୧୮୮୯ରେ ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ବିତୀୟ ବୈଠକରେ ଶ୍ରମିକ ମାନଙ୍କ ଦାବି ଉପରେ ମୋହର ମରାଯାଇଥିଲା।
ସେହି ଦିନ ଠାରୁ ପ୍ରତିବର୍ଷ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଅନ୍ୟପଟେ ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା | ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ପକ୍ଷରୁ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା।