ଏଏସ୍ଆଇ ଶ୍ରୀମନ୍ଦିର କ୍ଷେତ୍ର ପରିଦର୍ଶନ ପରେ ୭ରେ ରିପୋର୍ଟ ଦେବେ
ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ନିକଟରେ ହେଉଥିବା ନିର୍ମାଣକୁ ନେଇ ତୁମ୍ବି ତୋଫାନ ପରେ ସବୁ କଥା ଏଏସ୍ଆଇ ନିକଟରେ ଅଟକିଥିଲା। ଏଏସ୍ଆଇ ଅନୁମତି ମିଳି ନ ଥିବା ବେଳେ କିପରି କାମ ଆଗେଇ ଚାଲିଛି ବୋଲି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଶେଷରେ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ ଅନୁଧ୍ୟାନ କରିବେ ଏଏସଆଇର ଏକ ବିଶେଷଜ୍ଞ ଦଳ।
ଏଏସ୍ଆଇର ରିଜିଓନାଲ ଡାଇରେକ୍ଟର ଦିଲୀପ ଖମାରୀ, ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଅରୁଣ ମଲିକ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବେ। ସେମାନଙ୍କ ସହ ଓବିସିସି ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର, ଟାଟା ପ୍ରୋଜେକ୍ଟ ଅଧିକାରୀ ମଧ୍ୟ ମିଳିତ ଭାବେ ଅନୁଧ୍ୟାନ କରିବେ। ସେଠାରେ ପ୍ରକୃତରେ କ’ଣ ନିର୍ମାଣ ଚାଲିଛି ତାହାର ଅନୁଧ୍ୟାନ କରିବ ଏଏସଆଇ। ନିର୍ମାଣାଧୀନ ପ୍ରକଳ୍ପର ଗଭୀରତା ଓ ପ୍ରସ୍ତାବିତ ଉଚ୍ଚତା ଅନୁଧ୍ୟାନ କରିବ ଟିମ୍। ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ। ଏହାପରେ ମେ’ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ।
ମେ’ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା। ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଗୁହାରି କରିଥିଲେ ଆବେଦନକାରୀ। ତେଣୁ ମେ’ ୯କୁ ଦିନ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ମେ’ ୭ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହା ପୂର୍ବରୁ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଟିମ୍ ଆସୁଥିବା ଜଣାଯାଇଛି।