ଦାନା ବାନ୍ଧୁଛି ବାତ୍ୟା : ୪ରେ ଘୂର୍ଣ୍ଣିବଳୟ, ୫ରେ ଲଘୁଚାପ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନସାଗର ଏବଂ ଆଖପାଖ ଅଞ୍ଚଳରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ମେ’ ୪ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ।

ସେପଟେ ଏହି ଲଘୁଚାପ ବତ୍ୟାରେ ପରିଣତ ହେଇପାରେ। ଭୀଷଣ ବାତ୍ୟାରେ ରୂପ ନେବା ପରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମେ’ ୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଏକ ଲଘୁଚାପରେ ପରିଣତ ହେବ । ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ରହିଛି । ଫଳରେ ମେ’ ୬ରେ ଅବପାତ, ୭ରେ ବାତ୍ୟା ଓ ୮ରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ମେ’ ୬ରେ ଗତିପଥ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ । ଯଦି ଏହା ହୁଏ, ୮ ତାରିଖ ରାତିରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ସହିତ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇପାରେ । ୧୦ ତାରିଖରେ ଆନ୍ଧ୍ର ଉପକୂଳରେ ଛୁଇଁପାରେ ।

Leave a comment