୨ ବର୍ଷ ପରେ ଅଫ୍ଲାଇନ୍ରେ ମାଟ୍ରିକ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଦୁଇ ବର୍ଷ ପରେ ପୁଣି ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ୩,୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡର ବ୍ୟବସ୍ଥା ହୋଇଛି । ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ଏଥର ଦ୍ୱିତୀୟ ସିଟିଂରେ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି । ଛାତ୍ରଛାତ୍ରୀ, ପରୀକ୍ଷା ଦାୟିତ୍ୱରେ ଥିବା ଶିକ୍ଷକଶିକ୍ଷୟିତ୍ରୀ ଏପରିକି କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ସମୟରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ପକ୍ଷରୁ ୪ସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି । ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ପରୀକ୍ଷା ସଂପର୍କିତ ସମସ୍ତ ସୂଚନା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ବୋର୍ଡ କାର୍ଯ୍ୟାଳୟକୁ ଅନ୍ଲାଇନ୍ରେ ପଠାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି ।