ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟିର ଅନୁମୋଦନ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଣ୍ଟିଲୋ ନୀଳମାଧବ ପୀଠ ପାଇଁ ୧୦୦ କୋଟିର ମଞ୍ଜୁରୀ । ନୀଳମାଧବ ପୀଠ ପାରିପାଶ୍ୱିର୍କ ବିକାଶ ପ୍ଲାନକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିକାଶ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା । ତେବେ ସବୁଠାରୁ ବଡ଼ କଥା ହେଉଛି ୧୮ ମାସରେ ଏହି କାମ ସରିବ ବୋଲି ନିଷ୍ପତ୍ତି ନିଆଯାଇଚି । ମନ୍ଦିରର ପୁନରୁଦ୍ଧାର ପାଇଁ ଏବଂ ଦର୍ଶନ ସହ ପରିକ୍ରମା ବ୍ୟବସ୍ଥା କରାଯିବ ।
ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ, ଚତୁଃପାର୍ଶ୍ୟ ରାସ୍ତା ଉନ୍ନତୀକରଣ ହେବ । ଏହା ସହ ଯାତ୍ରୀଙ୍କ ଜିନିଷ ପତ୍ର ରଖିବାକୁ କ୍ଲକ୍ ରୁମ୍ ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥା ହେବ । ମନ୍ଦିର ସୁରକ୍ଷା ପାଇଁ ମହାନଦୀରେ ୪ ଶହ ମିଟର ସୁରକ୍ଷା ପ୍ରାଚୀର ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଦର୍ଶନ ସହ ପରିକ୍ରମା, ଚନ୍ଦନ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ ସହିତ ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।
ମନ୍ଦିରକୁ ଯାଇଥିବା ପାହାଚ ଶ୍ରେଣୀର ପୁନରୁଦ୍ଧାର ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳର ଖଣ୍ଡାଲାଇଟ ପଥର ବିଛାଯିବା ସହିତ ମନ୍ଦିର ଓ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ ।