ଭୁବନେଶ୍ୱର ରେ ରେକର୍ଡ଼ ହେଲା ଚଳିତବର୍ଷ ର ସର୍ବୋଚ୍ଚ ତାପମାତ୍ରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ରେ ହୋଇଛି ନିଆଁ ବର୍ଷା । ଖରା ତାତିରେ ପୋଡ଼ି ଯାଉଛି ଦେହମୁଣ୍ଡ । ତାସହିତ ଅସମ୍ଭାଳ ଗୁଳୁଗୁଳି । ଅତିଷ୍ଠ ହେଲେଣି ରାଜଧାନୀବାସୀ । ଗତକାଲି ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ଆଜି ତାହା ୪୩.୩ ଡିଗ୍ରୀରେ ପହଞ୍ଚିଛି । ଏହା ହେଉଛି ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା । ୨୦୧୧ ପରଠାରୁ ଅପ୍ରେଲ୍ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ୨୦୧୬ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ବରରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଥିଲା। ୨୦୧୯ ଏପ୍ରିଲ ୧୬ରେ ଏଠାକାର ତାପମାତ୍ରା ୪୩.୭ ଡିଗ୍ରି ଥିଲା। ଏହା ପୂର୍ବରୁ ଭୁବନେଶ୍ବରରେ ଗତକାଲି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଶୁକ୍ରବାର ମଧ୍ୟ ଏଠାରେ ୪୦.୮ ଡିଗ୍ରି ରେକର୍ଡ କରାଯାଇଥିଲା। ସେହିପରି ଭୁବନେଶ୍ବରରେ ଗତ ୧୮ ତାରିଖରେ ୪୦.୨ ଡିଗ୍ରି ରେକର୍ଡ କରାଯାଇଥିଲା।
ସେହିପରି ଆଜି ରାଜ୍ୟରେ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୪୩.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ୪୩.୩ ଡ଼ିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟରେ ରହିଛି। ଏଥି ସହ ୮ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆସନ୍ତା ୨୫ରୁ ୨୭ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।