ଏହି ହ୍ରଦ ରେ ପାଣି ପିଇବା ମାତ୍ରେ ମୃତ୍ୟୁ ସୁନିଶ୍ଚିତ
ଜଳର ଧର୍ମ ଶୋଷ ମେଣ୍ଟାଇବା, ହେଲେ ଯେତେବେଳେ ପିଇବା ଜଳ ବିଷ ହୋଇଯାଏ? ପୁଣି ସେ ଗୋଟିଏ କୂଅ କି ପୋଖରୀର ପାଣି ନୁହେଁ ପୁରା ହ୍ରଦର ପାଣି ଯଦି ବିଷ ହୋଇଯିବ। ଜୀବଜନ୍ତୁ କିପରି ହଇରାଣ ହେଉଥିବେ ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ। ସେମିତି ଏକ ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ ଏହି ହ୍ରଦର ଜଳ ଯିଏ ପିଅନ୍ତି, ସେ ଆଉ ବଞ୍ଚନ୍ତି ନାହିଁ। ମାତ୍ର କିଛି କ୍ଷଣ ଭିତରେ ତାଙ୍କର ମୃତ୍ୟୁ ହୋଇଥାଏ। ତେବେ ଏହି ହ୍ରଦର ପାଣିକୁ ନେଇ ରହିଥିବା ରହସ୍ୟର ସମାଧାନ ପାଇଁ ବୈଜ୍ଞାନିକମାନେ ବିଭିନ୍ନ ସମୟରେ ଗବେଷଣା ଜାରି ରଖିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରାଚୀନ କାଳରେ ଏହି ରାସ୍ତା ଦେଇ ଯାଉଥିବା ଜଣେ କୁଷ୍ଠରୋଗୀକୁ ଏଠାରେ ବାସ କରୁଥିବା ଲୋକମାନେ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ଦେବାକୁ ମନା କରିଦେଇଥିଲେ। ଏହା ପରେ ସେ ସେହି ଲୋକମାନଙ୍କୁ ଅଭିଶାପ ଦେଇ ହ୍ରଦ ଭିତରକୁ ପ୍ରବେଶ କରି ଅଦୃଶ୍ୟ ହୋଇଯାଇଥିଲେ। ସେବେଠାରୁ ଏହି ହ୍ରଦର ପାଣି ବିଷାକ୍ତ ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ମଧ୍ୟ କୁହାଯାଏ ଯେ ସକାଳେ ହ୍ରଦ ଭିତରୁ ବାଜା, ପଶୁ ଏବଂ ଲୋକମାନଙ୍କର ଚିତ୍କାର ଶୁଣିବାକୁ ମିଳେ। ଲୋକମାନଙ୍କ ମଧ୍ୟରେ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ଯେ ଏହି ହ୍ରଦଟିକୁ ପର୍ବତରେ ବାସ କରୁଥିବା ଏକ ବିଶାଳ ଅଜଗର ସୁରକ୍ଷା ଦେଉଛି, ତେଣୁ ଏହାର ପାଣି ଏଭଳି ବିଷାକ୍ତ ହୋଇଛି।
ଭୂସ୍ଖଳନ କାରଣରୁ ମୁଟାଲି ନଦୀର ପ୍ରବାହ ଅବରୋଧ ହେତୁ ଏହି ହ୍ରଦ ପ୍ରାଚୀନ କାଳରେ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ସାରା ଦୁନିଆ ପାଇଁ ଏକ ରହସ୍ୟ ହୋଇ ରହିଛି। ଏହି ନଦୀର ଜଳ ସଂପୂର୍ଣ୍ଣ ପରିଷ୍କାର ହୋଇଥିଲେ ହେଁ ତାହାକୁ ପିଇବା ପରେ ଲୋକଙ୍କ ମୃତ୍ୟୁ ହେଉଛି। କୁହାଯାଏ ଯେ ୧୯୪୬ ମସିହାରେ ଆଣ୍ଡି ଲେଭିନ୍ ନାମକ ଜଣେ ବ୍ୟକ୍ତି ଏହି ହ୍ରଦର ଜଳର ସତ୍ୟତା ଜାଣିବାକୁ ଆସିଥିଲେ। ସେ ସେଠାରୁ ପାଣି ଏବଂ କିଛି ଉଦ୍ଭିଦ ନେଇ ଚାଲିଗଲେ, କିନ୍ତୁ ହଠାତ୍ ସେ ରାସ୍ତା ଭୁଲି ଯାଇଥିଲେ। ଏହିଭଳି ଘଟଣା ତାଙ୍କ ସହିତ ଅନେକ ଥର ଘଟିଥିଲା। କିନ୍ତୁ ଯେତେବେଳେ ସେ ସେହି ହ୍ରଦର ପାଣି ଏବଂ ଉଦ୍ଭିଦକୁ ଫିଙ୍ଗିଦେଲେ ଆଣ୍ଡି ଲେଭିନଙ୍କୁ ସଠିକ୍ ରାସ୍ତା ଦେଖାଯାଇଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହ୍ରଦର ଜଳ ଆଜି ମଧ୍ୟ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି। ଅଧିକାଂଶ ଲୋକ ହ୍ରଦର ବିପଜ୍ଜନକ ଜଳ ପଛରେ କିଛି ବିଷାକ୍ତ ଗ୍ୟାସ୍ ନିର୍ଗମନକୁ ଦାୟୀ କରନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ। ଏହି ଅଞ୍ଚଳକୁ ଯିବା ପାଇଁ ପ୍ରତିବନ୍ଧକ ରହିଛି।